କୋରାପୁଟ: ଜୟପୁର ଦଶହରାକୁ ମହୀଶୂର ଦଶହରା ସହ ତୁଳନା କରାଯାଇଥାଏ । ଏହି ଉତ୍ସବରେ ଲାଠିଯାତ୍ରା ସହ ସୁଦୃଶ୍ୟ ମଣ୍ଡପରେ ସଜ୍ଜିତ ମାତୃମୂର୍ତ୍ତୀ ସମସ୍ତଙ୍କୁ ଆକର୍ଷିତ କରିଥାଏ । ସହର ତମାମ ବିଭିନ୍ନ ତୋରଣରେ ଭରିଯାଏ। ଚଳିତବର୍ଷ କୋଭିଡ ନିୟମ ଅନୁଯାୟୀ ଆଡମ୍ବରର ମାତ୍ରାକୁ ହ୍ରାସ କରାଯିବା ସହ ପାରମ୍ପରିକ ଯାତ୍ରାର ଜନଗହଳିକୁ ମଧ୍ୟ ନିୟନ୍ତ୍ରିତ କରିଦିଆଯାଇଛି । ତେବେ କୋରାପୁଟରୁ ଜୟପୁର ଗଲାବେଳକୁ ଘାଟିର ପାଦଦେଶରେ ନିର୍ମିତ ହୋଇଥିବା ଆଦିବାସୀ ଲୋକକଳାର ପ୍ରତିମୂର୍ତ୍ତି ସମୂହକୁ ନେଇ ସ୍ବାଗତ ତୋରଣ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଜୟପୁର ପୌରପାଳିକା ଦ୍ବାରା ନିର୍ମିତ ଏହି ମୁକ୍ତ ସ୍ବାଗତ ଫାଟକ ଜୟପୁର ଦଶହରାର ଆନନ୍ଦ ନେବାକୁ ଆସୁଥିବା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛି ।
ଜୟପୁର ଦଶହରାକୁ ଆକର୍ଷଣୀୟ କରିଛି ରାସ୍ତା ପାର୍ଶ୍ବର ପ୍ରତିମୂର୍ତ୍ତି, ପ୍ରତିଫଳିତ ହେଉଛି ଆଦିବାସୀ ଜୀବନଶୈଳୀର ଝଲକ - କୋରାପୁଟ ଜିଲ୍ଲା ପ୍ରଶାସନ
ଜୟପୁର ଦଶହରାକୁ ଭିନ୍ନ ପରିଚୟ ଦେଇଛି ପୌରପାଳିକା ଦ୍ବାରା ନିର୍ମିତ ଏହି ମୁକ୍ତ ସ୍ବାଗତ ଫାଟକ । ଫାଟକରେ ସ୍ଥାନ ପାଇଛି ଆଦିବାସୀ ଜୀବନ ଶୈଳୀର ପ୍ରତିକୃତି । ମୂର୍ତ୍ତିରେ ସ୍ପର୍ଶ ଦେଇଛନ୍ତି ସ୍ଥାନୀୟ ଶିଳ୍ପୀ ସନ୍ଦୀପ ପଣ୍ଡା । ଅଧିକ ପଢନ୍ତୁ...
ଦଶହରାରେ ଆଦିବାସୀଙ୍କ ପ୍ରତିମୂର୍ତ୍ତି ଜୟପୁର ଦଶହରାକୁ ଅଧିକ ଆକର୍ଷଣୀୟ କରିପାରିଛି ବୋଲି ବରିଷ୍ଠ ଗବେଷକ ଉମାକାନ୍ତ ଦାସ ମତ ରଖିଛନ୍ତି । ସେହିପରି କୋରାପୁଟ ସମେତ ସମଗ୍ର ଦଣ୍ଡକାରଣ୍ୟ ଅଞ୍ଚଳର ଆଦିବାସୀଙ୍କ ଉପରେ ଗବେଷଣା କରୁଥିବା ଗବେଷକ ପରେଶ ରଥ ଏହି ପ୍ରତିମୂର୍ତ୍ତି ଗୁଡିକ ସମଗ୍ର ଦଣ୍ଡକାରଣ୍ୟ ଅଞ୍ଚଳର ପ୍ରତିନିଧିତ୍ଵ କରୁଥିବା କହିଛନ୍ତି । ରାଜ୍ୟ ବାହାରେ ଅନନ୍ୟ କଳାକୃତିକୁ ରୂପ ଦେଉଥିବା ସ୍ଥାନୀୟ ଶିଳ୍ପୀ ସନ୍ଦୀପ ପଣ୍ଡା ଏହି ଆଦିବାସୀ ପ୍ରତିମୂର୍ତ୍ତିଗୁଡିକୁ ରୂପ ଦେଇଛନ୍ତି। ଏପରି କରି ସେ ନିଜ ଜନ୍ମମାଟି ଜୟପୁରରେ କିଛି କଳାତ୍ମକ ପରିପ୍ରକାଶ କରିପାରିଥିବା ଯୋଗୁଁ ନିଜକୁ ଧନ୍ୟ ମଣୁଥିବା କହିଛନ୍ତି ଶିଳ୍ପୀ ସନ୍ଦୀପ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ