କୋରାପୁଟ: ଏଇ ଯେ ବନଲତା ପାହାଡ଼, ଆହାରେ ଦିଶେ କେଡେ ସୁନ୍ଦର । ଏହି ମର୍ମର ଗୀତ ହୃଦୟରେ ଝଙ୍କୃତ ହୁଏ ଓଡ଼ିଶାର ଉଚ୍ଛତମ ପର୍ବତ ଶୃଙ୍ଗ ଦେଓମାଳିର ମାଟିକୁ ସ୍ପର୍ଶ କଲେ । ସମୁଦ୍ର ପତନଠାରୁ 1,672 ମିଟର ଉଚ୍ଚତାରେ ଥିବା ଏହି ପାର୍ବତ୍ୟମାଳା ତାର ଏକ ଭିନ୍ନ ସୌନ୍ଦର୍ଯ୍ୟ ଓ ବୈଶିଷ୍ଟତା ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସିଛି ।
କୁନ୍ଦୁଲି ନିକଟର ଅପେକ୍ଷାକୃତ ସମତଳ ଅଞ୍ଚଳକୁ ଛାଡି ପର୍ଯ୍ୟଟକ ଯେତେବେଳେ ଦେଓମାଳି ମୁହାଁ ହୁଅନ୍ତି ସେତିକି ବେଳଠାରୁ ହିଁ ଆନନ୍ଦ ଭରା ଶୀତୁଆ ପବନ ମନକୁ ଛୁଇଁଯାଏ । ପାହାଡ ଉପରକୁ ଲମ୍ବିଯାଇଥିବା ସୁନ୍ଦର ରାସ୍ତାରେ ମନପବନ ଘୋଡାରେ ଉଡିଗଲା ଭଳି ବେଗରେ ଯାଉଥିବା ଗାଡିଟି ହଠାତ ଅଟକି ଅଟକି ପାହାଡ଼ ଉପରକୁ ଚଢିବା ଆରମ୍ଭ କରେ ।
ତୀକ୍ଷ୍ଣ ମୋଡ ଦେଇ ପର୍ଯ୍ୟଟକ ଘାଟି ରାସ୍ତାକୁ ଅତିକ୍ରମ କରିବା ସମୟରେ ତାର ଚତୁଃପାର୍ଶ୍ଵରେ ଭରି ରହିଥିବା ଜୈବ ବିବିଧତା ଭରା ସବୁଜିମାକୁ ଦେଖି ମୁଗ୍ଧ ହୋଇଉଠେ । ତେବେ ପର୍ବତମାଳାର ଉପରଭାଗକୁ ପହଞ୍ଚିଲା ମାତ୍ରେ ମାଇଲ ମାଇଲ ବ୍ୟାପି ଲମ୍ବିଯାଇଥବା ଶୁଷ୍କ ଭୂଇଁ ତା ପାଇଁ ସୌନ୍ଦର୍ଯ୍ୟର ଭିନ୍ନ ଏକ ରୂପକୁ ଖୋଲିଦିଏ ।