କୋରାପୁଟ:ଆଉ କିଛି ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ଦୁର୍ଗତୀନାଶିନୀ ଜଗତ ଜନନୀ ମା' ଦୁର୍ଗା। ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ । ମୂଳାଷ୍ଟମୀ ଅବସରରେ ମା’ ଭଗବତୀଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ ଆସିବା ସହିତ ଜୟପୁରର ପ୍ରସିଦ୍ଧ ଦଶହରା ଉତ୍ସବର ଶୁଭାରମ୍ଭ ହୋଇଯାଇଛି । ମୂଳାଷ୍ଟମୀ ଅବସରରେ ଜୟପୁରବାସୀଙ୍କ ପ୍ରତିନିଧିତ୍ଵ କରି ବିଧାୟକ ତାରାପ୍ରସାଦ ବାହିନୀପତି ଆଜ୍ଞାମାଳ ଗ୍ରହଣ କରିଛନ୍ତି । ମା’ ଭଗବତୀଙ୍କ ପାଖରେ ଷୋଡଶ ଦିନାତ୍ମକ ମହାପାର୍ବଣ ପୂଜା ଆରମ୍ଭ ହୋଇଛି । ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।
ଦଶହରା ଉତ୍ସବରେ ଯୋଗ ଦେବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀ ପୀଠରୁ ଭକ୍ତ ଓ ଦେବଦେବୀଙ୍କୁ ନିମନ୍ତ୍ରଣ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜାରାଜୁଡ଼ା ଅମଳରୁ ଚାଲି ଆସିଥିବା ପରମ୍ପରା ଅନୁଯାୟୀ ଚଳିତ ବର୍ଷ 50ରୁ ଊର୍ଦ୍ଧ୍ବ ଗ୍ରାମରୁ ଦେବୀଙ୍କ ପ୍ରତୀକ ଭାବେ ବିଶାଳ ଲାଠିକୁ ନେଇ ଗ୍ରାମବାସୀ ଜୟପୁର ଦଶହରାରେ ଯୋଗ ଦେବା ପାଇଁ ଆସିବେ । ଏ ନେଇ ଦେବୋତ୍ତର ବିଭାଗର କର୍ମଚାରୀ କୃଷ୍ଣଚନ୍ଦ୍ର ଦାସ ସୂଚନା ଦେଇଛନ୍ତି ।