କୋରାପୁଟ: 20 ବର୍ଷର ପରିଶ୍ରମ ଆଣିଛି ସଫଳତା । ଟାଇକୋଣ୍ଡ କ୍ରୀଡାରେ ଚମିକିଛି କୋରାପୁଟ । ବିଶ୍ବ ଟାଇକୋଣ୍ଡ (world taekwondo Championship) ଦ୍ବାରା ଆୟୋଜିତ ଅନଲାଇନ ଏସିଆ ପୁମସେ ଚମ୍ପିଅନସିପରେ ଓଡ଼ିଶାର ପ୍ରତିନିଧି ଭାବେ ସଫଳତା ହାସଲ କରିଛନ୍ତି ଶରତ କୁମାର ଦଳାଇ । ବ୍ରୋଞ୍ଜ ପଦକ ହାସଲ କରି ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଶରତ ।
ପ୍ରତିଯୋଗିତାର ୨ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ସଫଳତା ହାସଲ କରିଛନ୍ତି ଶରତ । ଗତ ତିନି ବର୍ଷ ଧରି ଶରତ ମହାବୀର କଂବାଟ ମାର୍ଶାଲ ଆର୍ଟ ଅନୁଷ୍ଠାନ ମାଧ୍ୟମରେ 80 ଜଣ ଛାତ୍ରଛାତ୍ରୀଙ୍କୁ ଟାଇକୋଣ୍ଡ କ୍ରୀଡାର ତାଲିମ ଦେଇ ଆସୁଛନ୍ତି । ସେହି ପିଲାଙ୍କ ମଧ୍ୟରୁ ମାଧବୀ ଓ ଅନୁରାଧା ପାଣି ମଧ୍ୟ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡ୍ସରେ ଯୋଗ ଦେବାରେ ସକ୍ଷମ ହୋଇଛନ୍ତି । ଟାଇକୋଣ୍ଡ କ୍ରୀଡା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ଆଣି ଦେଇଥିବା ଏହି ଗୁରୁ ଶିଷ୍ୟଙ୍କୁ କୋରାପୁଟରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଶିଷ୍ଟ ଭାର ଉତ୍ତୋଳନକାରୀ ତଥା ମ୍ୟୁନିସିପାଲ ଜିମ୍ନାଜିଅମର ସଭାପତି ଭବାନୀ ଶଙ୍କର ମିଶ୍ର ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।