ଓଡିଶା

odisha

ETV Bharat / state

ପୁଣି କୋଟିଆରେ ପଶିଲା ଆନ୍ଧ୍ର, ଚେତାବନୀ ଦେଲେ ରାଜନେତା - andhra officials in kotia

ଲଗାତାର କୋଟିଆ ଅଞ୍ଚଳ ଭିତରକୁ ଅବାଧ ପ୍ରବେଶ କରୁଛି ଆନ୍ଧ୍ର ପ୍ରଦେଶ । କୋଟିଆରେ ପଶୁ ଚିକିତ୍ସା ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ଆନ୍ଧ୍ର ଅଧିକାରୀ । ଅଧିକ ପଢ଼ନ୍ତୁ...

ପୁଣି କୋଟିଆରେ ପଶିଲା ଆନ୍ଧ୍ର, ଚେତାବନୀ ଦେଲେ ରାଜନେତା
ପୁଣି କୋଟିଆରେ ପଶିଲା ଆନ୍ଧ୍ର, ଚେତାବନୀ ଦେଲେ ରାଜନେତା

By

Published : Aug 26, 2021, 10:46 PM IST

କୋରାପୁଟ:ଲଗାତାର କୋଟିଆ ଅଞ୍ଚଳ ଭିତରକୁ ଅବାଧ ପ୍ରବେଶ କରୁଛି ଆନ୍ଧ୍ର ପ୍ରଦେଶ । କୋଟିଆରେ ପଶୁ ଚିକିତ୍ସା ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ଆନ୍ଧ୍ର ଅଧିକାରୀ । କୋଟିଆକୁ ବିବାଦ ସମାଧାନ ହେବାର ନାଁ ଧରୁନି । ଓଡ଼ିଶା ସୀମା ଭିତରକୁ ଆନ୍ଧ୍ରର ପୁରୁଣା ଧସେଇ ପଶିବା ଅଭ୍ୟାସ ବନ୍ଦ ହେଉନି । କେତେବେଳେ ପଟ୍ଟା ବଣ୍ଟନ ତ କେତେବେଳେ ଚାରା ରୋପଣ ପୁଣି କେତେବେଳେ ପ୍ରାଣୀଧନ ସେବା ଆଳରେ କୋଟିଆ ଅଞ୍ଚଳରେ ପ୍ରବେଶ କରୁଛନ୍ତି ଆନ୍ଧ୍ରର ଅଧିକାରୀ ଓ ରାଜନେତା । କିଛି ଦିନର କୋଟିଆ ବିବାଦ ପରେ ଏବେ ଜିଲ୍ଲାର ସର୍ବଦଳୀୟ କମିଟି ସହ ଜିଲ୍ଲା ପ୍ରଶାସନ ଚୁପ୍ ହୋଇଯାଇଥିବା ଅଭିଯୋଗ ହୋଇଛି ।

ପୁଣି କୋଟିଆରେ ପଶିଲା ଆନ୍ଧ୍ର, ଚେତାବନୀ ଦେଲେ ରାଜନେତା

ଓଡିଶାର ବିକାଶକୁ ସହି ପରୁନି ପଡ଼ୋଶୀ ରାଜ୍ୟ । କୋଟିଆ ପ୍ରସଙ୍ଗରେ ଆନ୍ଧ୍ରକୁ ଚେତାବନୀ ପରେ ହଠାତ୍ କାହିଁକି ଚୁପ ହୋଇଗଲେ କୋରାପୁଟର ସର୍ବ ଦଳୀୟ କମିଟି ଓ କୋରାପୁଟ ଜିଲ୍ଲା ପ୍ରଶାସନ ? ଏଭଳି କିଛି ପ୍ରଶ୍ନ ଏବେ କୋରାପୁଟବାସୀଙ୍କ ମନରେ ଉଙ୍କି ମାରିବାରେ ଲାଗିଛି । କାରଣ ଗତ ୧୬ ତାରିଖ ଦିନ କୋଟିଆର ଫାଟୁସେନେରୀରେ ଆନ୍ଧ୍ରର ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ସର୍ବ ଦଳୀୟ କମିଟି ଜୋରଦାର ବିରୋଧ କରିବା ସହ ସୀମା ଜଗି ବସିଥିଲେ । ଫଳରେ ନିରୁପାୟ ହୋଇ ଆନ୍ଧ୍ର ଅଧିକାରୀ ଓ ସାଲୁର ବିଧାୟକଙ୍କୁ ପଛଘୁଞ୍ଚା ଦେବାକୁ ପଡ଼ିଥିଲା ।

ଏପରିକି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବା ସହ ଆନ୍ଧ୍ର ରାଜ୍ୟପାଳଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ । ପୁଣି ୩ଦିନ ପରେ ଲଗାତାର ଆନ୍ଧ୍ରର ଅନୁପ୍ରବେଶକୁ ନେଇ ଆଜି ମୁହଁ ଖୋଲିଛନ୍ତି ଜୟପୁର ବିଧାୟକ । ଖୁବଶୀଘ୍ର ଗୃହ କମିଟି କୋଟିଆ ଗ୍ରସ୍ତରେ ଆସନ୍ତୁ ବୋଲି ଦାବି କରିଛନ୍ତି ତାରା ପ୍ରସାଦ ବାହିନୀପତି । ଏହାକୁ ନେଇ ଆସନ୍ତା ବିଧାନସଭା ଅଧିବେଶନରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଆନ୍ଧ୍ରର ଏପରି ଦୌରାତ୍ମ୍ୟକୁ ନେଇ ସର୍ବଦଳୀୟ କମିଟି ସହ ଆଲୋଚନା କରାଯିବ । ସମସ୍ତଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ । ଓଡ଼ିଶାର ବିକାଶର ଧାରାରେ ଆନ୍ଧ୍ର ସହିପାରୁନାହିଁ । ୧୫୦ କୋଟି ପ୍ୟାକେଜ ଘୋଷଣା ହେଲାପରେ ବିକାଶର ଧାରା ଜାରି ରହିଛି । ବାରମ୍ବାର ଏପରି ଆନ୍ଧ୍ରର ଔଦ୍ଧତ୍ୟକୁ ନେଇ ଗୃହ କମିଟିକୁ ଅବଗତ କରାଯିବ । ବୋଲି କହିଛନ୍ତି ବିହନ ନିଗମ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ।

ଆନ୍ଧ୍ର ଅଧିକାରୀମାନେ ଲଗାତାର ଭାବେ କୋଟିଆ ଭିତରକୁ ଆସି ଏକ ସପ୍ତାହ ହେଲା ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଗତକାଲି(ବୁଧବାର) କୋଟିଆର ତଳସେମ୍ବି, ଉପରସେମ୍ବି ଓ ଗଞ୍ଜେଇ ପଦରରେ ପଶୁମାନଙ୍କୁ ଚିକିତ୍ସା କରିବା ସହ ଆନ୍ଧ୍ର ଅଧିକାରୀମାନେ ଔଷଧ ବାଣ୍ଟିଥିଲେ । ଆଜି ପୁଣିଥରେ ସେହି ଅଞ୍ଚଳର ରଣସିଙ୍ଗି, ପାଣିନି ଓ ସୀମାଗେଡ୍ଡା ଗ୍ରାମରେ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଜଣାପଡ଼ିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details