ଓଡିଶା

odisha

ETV Bharat / state

ନେବା ଠାରୁ ଦେବାରେ ଅଧିକ ଆନନ୍ଦ ମିଳେ: ପଦ୍ମଶ୍ରୀ କମଳା ପୂଜାରୀ

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟପୁର ଗସ୍ତ ସମୟରେ ତାଙ୍କୁ ସମ୍ମାନିତ କରିବା ପାଇଁ ସୁଯୋଗ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ।

By

Published : Mar 31, 2019, 6:23 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଜୀବନରେ କାହାଠାରୁ କିଛି ନେବାଠାରୁ ନିଜ ହାତରେ ଅନ୍ୟକୁ କିଛି ଦେବାରେ ଅଧିକ ଆନନ୍ଦ ମିଳିଥାଏ ବୋଲି କହିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। କୋରାପୁଟ ଜିଲ୍ଲା ପାତ୍ରପୁଟରେ ପାରମ୍ପରିକ ଧାନ ସଂରକ୍ଷଣ ଓ ଜୈବିକ ପ୍ରଣାଳୀରେ ଚାଷ କାମର ପ୍ରସାର ଦିଗରେ ବିଶ୍ୱ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି ସେ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୟପୁର ଗସ୍ତ ସମୟରେ ତାଙ୍କୁ ସମ୍ମାନିତ କରିବା ପାଇଁ ସୁଯୋଗ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଜୟପୁରଠାରୁ ଜୋହାନ୍ସବର୍ଗ ପର୍ଯ୍ୟନ୍ତ ସ୍ଥାନୀୟ, ଜାତୀୟ ତଥା ଆନ୍ତର୍ଜାତୀୟ ମଞ୍ଚରେ ଅନେକ ବାର ସମ୍ମାନିତ ହୋଇଥିବା କମଳା କିନ୍ତୁ ଅଧିକ ଆନନ୍ଦ ପାଇଥିଲେ ପ୍ରଧାନମନ୍ତ୍ରୀଙ୍କ ଭଳି ଦେଶର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରି। ତାଙ୍କୁ ଏହି ସୁଯୋଗ ମିଳିବ ବୋଲି ଜାଣିବା ଦିନଠାରୁ କଣ ଦେଇ ସେ ତାଙ୍କୁ ସମ୍ମାନିତ କରିବେ ବୋଲି ଚିନ୍ତା କରୁଥିଲେ। ଏପରି ଭାବନା ବେଳେ ଆଦିବାସୀ ଚାଷୀ ବର୍ଷା ଦିନରେ କ୍ଷେତରେ କାମ କଲାବେଳେ ବ୍ୟବହାର କରୁଥିବା ଶିଆଳି ପତ୍ର ଓ ବାଉଁଶରେ ତିଆରି ଛତଡି କଥା କମଳାଙ୍କ ମନକୁ ଛୁଇଁଥିଲା। ତାକୁ ଦୁଇ ଦିନ ଧରି ନିଜ ହାତରେ ତିଆରିକରି ବିଶାଳ ଜନସମାବେଶ ମଞ୍ଚରେ କୋରାପୁଟ ଅଞ୍ଚଳ ଅଧିବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡରେ ପିନ୍ଧାଇଦେଇଥିଲେ କମଳା। ଆଉ ଏଥିରେ ତାଙ୍କୁ ଯେଉଁ ଆନନ୍ଦ ମିଳିଥିଲା ତାହା ଏକ ଅପୂର୍ବ ଅନୁଭୂତି ବୋଲି ଶନିବାର ତାଙ୍କ ଗାଁରେ ଇଟିଭି ଭାରତକୁ ଦେଇଥିବା ଏକ ସାକ୍ଷାତ୍କାରରେ ସେ ଜଣାଇଛନ୍ତି। ପ୍ରଧାନ ମନ୍ତ୍ରୀ ମଧ୍ୟ ତାଙ୍କର ଏହି ଉପହାରକୁ ପ୍ରଶଂସା କରିଥିଲେ ବୋଲି ସେ କହିଛନ୍ତି।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details