କୋରାପୁଟ: ପଟ୍ଟାଙ୍ଗି ପୋଲିସକୁ ସଫଳତା। ପଟ୍ଟାଙ୍ଗିରେ ହୋଇଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ସୁନାବେଡ଼ା ପୋଲିସ। ନଭେମ୍ବର 3 ତାରିଖରେ ପଟ୍ଟାଙ୍ଗିର ଯୁବ ବ୍ୟବସାୟୀ କୁନା ପ୍ରସାଦ ଚୌଧୁରୀଙ୍କୁ ଗଳା ଚିପି ହତ୍ୟା କରାଯାଇଥିଲା। ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିଲା। ତେବେ ଆଜି(ଗୁରୁବାର) ଏହି ହତ୍ୟାକାଣ୍ଡ ଭିଆଇ ଥିବା ଦୁଇଜଣ ସୁପାରୀ କିଲରଙ୍କ ସହ ସୁପାରୀ ଦେଇଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଅନଲାଇନ ଜୁଆ ଖେଳକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛି ପୋଲିସ। ପଟ୍ଟାଙ୍ଗିର 28 ବର୍ଷୀୟ ଯୁବକ କୁନା ପ୍ରସାଦ ଚୌଧୁରୀଙ୍କଠାରୁ ସେହି ଅଞ୍ଚଳର ସୁନୀଲ ପାଢ଼ୀ ନାମକ ଜୁଆ ଖେଳରେ 3 ଲକ୍ଷ ଟଙ୍କା ହାରି ଯାଇଥିଲା। ତେବେ ସୁନୀଲ ପାଢ଼ୀ ଏହି ସମସ୍ତ ଟଙ୍କା ଦେବାକୁ ଅସମର୍ଥ ଥିଲା। ଏଥିପାଇଁ ସୁନୀଲଙ୍କ ବାପା କୁନା ପ୍ରସାଦଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ। ବାକି ଥିବା ଦେଢ଼ ଲକ୍ଷ ଟଙ୍କା ଆସନ୍ତା ମାସ ଦେବା ପାଇଁ ବୁଝାମଣା ହୋଇଥିଲା। ତେବେ ପୁଅର ଏଭଳି କାରନାମାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ ସୁନୀଲଙ୍କ ବାପା। ବାପାଙ୍କ ଏଭଳି ଅବସ୍ଥାକୁ ଦେଖି ସୁନିଲର ସାନ ଭାଇ ଅନିଲ କୁନା ପ୍ରସାଦକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା।