କୋରାପୁଟ: ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଏକ ଅଖ୍ୟାତ ପଲ୍ଲୀର ଯୁବକ ସୁମିତ ତୁରୁକ 3 ଘଣ୍ଟାରେ ଠୁଳ କରିପାରିଛନ୍ତି 37 ଲକ୍ଷ ଟଙ୍କା । ତେବେ ସେ ନିଜ ଉଚ୍ଚଶିକ୍ଷା ପାଇଁ ନିଜର ଗଭୀର ଇଚ୍ଛାଶକ୍ତି ସହିତ ଆବଶ୍ୟକ ଅର୍ଥ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ବିସ୍ତୃତ ଭାବରେ କହିବା ପରେ ମାତ୍ର 3 ଘଣ୍ଟା ମଧ୍ୟରେ 37 ଲକ୍ଷ ଟଙ୍କା ମିଳିଥିବା ସେ କହିଛନ୍ତି ।
ଅଖ୍ୟାତ ପଲ୍ଲୀର ଯୁବକ ସୁମିତ ତୁରୁକ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ସନ୍ତାନ ଓ ମାଓପ୍ରବଣ ଇଲାକା ଭାବେ ପରିଚିତ ଏତେନ୍ତୁଳୀପଦ ଗ୍ରାମର ଯୁବକ । ସେ ସୁମିତ ଗାଁରୁ ସେମିଲିଗୁଡା, କୋରାପୁଟ ଓ ପରିଶେଷରେ ଭୁବନେଶ୍ଵରରେ ଶିକ୍ଷା ଗ୍ରହଣ କରିବା ପାଇଁ ରୀତିମତ ଏକ ସଂଘର୍ଷପୂର୍ଣ୍ଣ ଜୀବନ ବିତାଇଥିଲେ । ତା ପରେ ନିଜ ଅଦମ୍ୟ ଇଚ୍ଛାଶକ୍ତି ବଳରେ ସେ ଯାଇ ପହଞ୍ଚିଥିଲେ ଦିଲ୍ଲୀରେ । କିନ୍ତୁ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପଢିବାର ସ୍ଵପ୍ନ ସେହି ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ପ୍ରବେଶ କରିବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଯୋଗାଡ କରିନପାରିବା ଯୋଗୁଁ ମଳିନ ପଡିଯାଇଥିଲା । ତେବେ ସୁମିତ ହତାଶ ହୋଇପଡିଥିବା ବେଳେ ଶୁଭେଚ୍ଛୁମାନେ ତାଙ୍କୁ ଦିଲ୍ଲୀସ୍ଥିତ JNUରେ ଆବେଦନ କରିବା ପାଇଁ ପ୍ରେରିତ କରିଥିଲେ । ବନ୍ଧୁ ବର୍ଗଙ୍କ ସହଯୋଗରେ ସୁମିତ JNUରେ ପଢିବା ପାଇଁ ଆବେଦନ କରି ସେଠାରେ ସ୍ଥାନ ପାଇବାରେ ସକ୍ଷମ ହୋଇଥିଲେ ।
ସେହି ଦିନଠାରୁ ସେ ପଛକୁ ଫେରିନଥିବା ସୁମିତ କହିଛନ୍ତି । ସେଠାରେ ତାଙ୍କ ଅନ୍ତର୍ନିହିତ କଳା ଓ ଦକ୍ଷତା ବଳରେ ରାପ ସଂଗୀତରେ ଉତ୍ତମ ପ୍ରଦର୍ଶନ କରି ଦେଶ ବିଦେଶରେ ଆଦୃତ ହେବା ଏବଂ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ଚାଲିଥିବା ବିଭିନ୍ନ ଆନ୍ଦୋଳନରେ ନେତୃତ୍ଵ ନେବା ସହ ଏକ ଉତ୍ତମ ଆୟୋଜକ ଭାବେ ଖ୍ୟାତି ଅର୍ଜନ କରିପାରିଥିଲେ ସୁମିତ । ତାଙ୍କ ପ୍ରତିଭା ତାଙ୍କୁ ବିଦେଶରେ ମଧ୍ୟ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିଥିଲା । ତେବେ ତାଙ୍କ ହୃଦୟରେ ଜଳୁଥିବା ଉଚ୍ଚତର ଶିକ୍ଷା ହାସଲ କରିବାର ଅଭୀପ୍ସା ତାଙ୍କୁ ବ୍ୟସ୍ତବିବ୍ରତ କରିଦେଉଥିଲା । ଆବଶ୍ୟକ ପରିମାଣର ସ୍କଲାର୍ସିପ ସହ ଇଂଲଣ୍ଡ ଯାଇ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ସୁମିତ ଆବେଦନ କରିଥିଲେ । ପଢିବା ପାଇଁ ସୁମିତଙ୍କ ଆବେଦନ ସଫଳ ହୋଇ ତାଙ୍କୁ ଇଂଲଣ୍ଡ ଯାଇ ଉଚ୍ଚଶିକ୍ଷା ହାସଲ କରିବା ପାଇଁ ଅନୁମତି ମିଳିଥିଲା ।