କୋରାପୁଟ: ଶ୍ରୀଜୀଉଙ୍କ ସେବାରେ ଆଦିବାସୀ ପୂଜକ । ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଳିତ ହୋଇଯାଇଛି । ଗତକାଲି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସେବକମାନେ ଢାଳିଥିବା ଶ୍ରଦ୍ଧାର ଜଳକୁ ମନା କରିନପାରି ମହାପ୍ରଭୁ ଜଗନ୍ନାଥ , ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଅତ୍ୟଧିକ ସ୍ନାନ କରିବା ଯୋଗୁଁ ତିନିଠାକୁର ଜ୍ବରରେ ପଡିଛନ୍ତି ।
ଗତକାଲି ରାତିଠାରୁ ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଉଛନ୍ତି । ପୂର୍ବ ପୁରୁଷଠାରୁ ପରମ୍ପରାରେ ପାଇଥିବା ଚିକିତ୍ସା ପଦ୍ଧତିକୁ ଆଧାର କରି ଆଦିବାସୀ ସେବକ ରାମଚନ୍ଦ୍ର ଗେମେଲ ବଣ ଜଙ୍ଗଲର ଫଳ,ଫୁଲ,ଚେରମୁଳିକୁ ବ୍ୟବହାର କରି ତିନି ଠାକୁରଙ୍କ ଉପଚାର ଆରମ୍ଭ କରିଛନ୍ତି । ଆସନ୍ତା ପନ୍ଦର ଦିନ ତିନି ଠାକୁର ଅଣସରରେ ରହୁଥିବା ଯୋଗୁଁ ମନ୍ଦିରର ପ୍ରବେଶ ଦ୍ବାର ନିକଟରେ ପଟିଦିଅଁଙ୍କୁ ପୂଜା କରାଯାଉଛି ବୋଲି ମନ୍ଦିରର ପୂଜକ ସୂଚନା ପ୍ରଦାନ କରିଛନ୍ତି ।