ଓଡିଶା

odisha

ETV Bharat / state

ଏକଲବ୍ୟ 'ତୁଳା ପରଜା', କୁଲିରୁ ବ୍ୟୁଟିସିଆନ

ଦିନେ ଦିନ ମଜୁରିଆ ଭାବେ ପେଟ ପୋଷୁଥିଲେ କିନ୍ତୁ ଆଜି ତାଙ୍କ ସଙ୍ଘର୍ଷର ଦିନ ଟିକେ ବଦଳିଯାଇଛି । ମୁଣ୍ଡ ଝାଳ ତୁଣ୍ଡରେ ମାରୁଥିବା ଆଦିବାସୀ ମହିଳା ତୁଳା ପରଜା କୁଲି କାର୍ଯ୍ୟରୁ ଏବେ ଜଣେ ବିଉଟିସିଆନ । ଅଧିକ ଖବର ପଢନ୍ତୁ...

ଡିଜାଇନ ଫଟୋ

By

Published : Sep 27, 2019, 8:03 AM IST

କୋରାପୁଟ: ଦିନେ ସେ ଦିନ ମଜୁରିଆ ଭାବେ କୁଲି କାମ କରି ବଞ୍ଚୁଥିଲେ। କେଉଁଠି କାନ୍ଥରେ ଚୁନ ମାରୁଥିଲେ ତ ଆଉ କେଉଁଠି ପଥର ବୋହି ମୁଣ୍ଡର ଝାଳ ତୁଣ୍ଡରେ ମାରୁଥିଲେ। ହେଲେ ସେ ଆଜି ସହରର ଜଣେ ଅତି ପରିଚିତ ବିଉଟିସିଆନ ।

ତେବେ ଅତିଶୟ କଷ୍ଟକର ପରିସ୍ଥିତି ମଧ୍ୟରେ ଶୈଶବ କାଟିଥିବା କୋରାପୁଟର କୁମ୍ଭାଗାଁର ଆଦିବାସୀ ଝିଅ ତୁଳା ପରଜା । ପିଲାଟି ବେଳୁ କୁଲି କାମ କରିବାକୁ ବାଧ୍ୟ ହୋଇଥିଲେ । ଗାଁ ଦାଣ୍ଡରେ ଅନ୍ୟ ସ୍ବଚ୍ଛଳ ପରିବାରର ଝିଅ ମାନେ ଵିଦ୍ୟାଳୟକୁ ଯାଉଥିବା ବେଳେ ସେ କୋଡ଼ି କି କୋଦାଳ ଧରି କର୍ମକ୍ଷେତ୍ରକୁ ବାହାରୁଥିବା ସ୍ମୃତି ଆଜିବି ତାଙ୍କ ମାନସ ପଟରେ ଉଙ୍କି ମାରୁଥିବା ଜଣାଇଛନ୍ତି ।

ଏକଲବ୍ୟ 'ତୁଳା ପରଜା', କୁଲି କାମରୁ ବିଉଟିସିଆନ

ତେବେ ଜୀବନର ଧାରା ତାଙ୍କୁ କୋରାପୁଟ ସହରରେ ଏକ ସୁନାମଧନ୍ୟ ବିଉଟିସିଆନଙ୍କ ଘରେ ଚାକରାଣୀର କାମ କରିବାର ସୁଯୋଗ ପ୍ରଦାନ କରିବା ପରେ ତାଙ୍କ ଜୀବନରେ ଏକ ନୂତନ ସ୍ପନ୍ଦନ ଖେଳିଯାଇଥିଲା । କିଛି ଶିଖିବାର ଅଦମ୍ୟ ଆଗ୍ରହ ଓ କିଛି କରିବାର ପ୍ରବଳ ଭୋକ ବଳରେ ତୁଳା ଏକଲବ୍ୟ ହୋଇଉଠିଥିଲେ । ବିଉଟିସିଆନଙ୍କ ଘରେ ଚାକରାଣୀ ଭାବେ କାମ କରୁଥିବା ସମୟରେ ତାଙ୍କ କାମକୁ ନିରେଖି ଦେଖିବା ଓ ଲୁଚି ଲୁଚି ତାର ଅଭ୍ୟାସ କରିବା ଆରମ୍ଭ କରିଥିଲେ ।

ତେବେ ତୁଳାଙ୍କ ଏହିପରି ଲୁଚି ଲୁଚି ଶିକ୍ଷା ଗ୍ରହଣ କରିବା ସେହି ବିଉଟିସିଆନଙ୍କ ଆଖିରେ ଧରାପଡିଯିବା ପରେ ସେ ତାଙ୍କୁ କାର୍ଯ୍ୟରେ ସହଯୋଗ କରି ବିନା ଦ୍ବିଧାରେ କାମ ଶିଖିବାର ସୁଯୋଗ ପ୍ରଦାନ କରିଥିଲେ । ଏହିପରି କିଛି ବର୍ଷ କାମକରିବା ପରେ ତୁଳା ନିଜେ ଏକ ବିଉଟି ପାର୍ଲର ଖୋଲିବା ପାଇଁ ଚେଷ୍ଟା ଆରମ୍ଭ କଲେ । ପତି ସେନାପତି ଯାନୀଙ୍କ ପ୍ରତ୍ୟକ୍ଷ ସାହସ ପ୍ରଦାନ ଓ ରୁଣଦାତାଙ୍କ ବଦାନ୍ୟତା ଯୋଗୁଁ ସେ ତାଙ୍କ ପାର୍ଲରର ପ୍ରଥମ ସରଞ୍ଜାମ କିଣିବାରେ ସମର୍ଥ ହୋଇଥିଲେ ବୋଲି ତୁଳା ଜଣାଇଛନ୍ତି ।

ଆଜି ହାତରେ ନିଜ ଛୋଟ ପୁଅକୁ ଧରି ଗ୍ରାହକଙ୍କ ମୁଖରେ ସୌନ୍ଦର୍ଯ୍ୟ ଭରିଦେବାର ଆନନ୍ଦକୁ ସାଉଁଟି ଆଣୁଥିବା ତୁଳା ଟିକିଏ ସୁଯୋଗ ହରାଇ ହତାଶାରେ ମ୍ରିୟମାଣ ହୋଇଉଠୁଥିବା ମହିଳାଙ୍କ ପାଇଁ ସ୍ବୟଂସିଦ୍ଧ ହୋଇଉଠିବାର ପ୍ରେରଣା ଯୋଗାଇ ଦେଇଛନ୍ତି ।

କୋରାପୁଟରୁ ସି.ଏଚ୍. ଶାନ୍ତାକାର , ଇଟିଭି ଭାରତ

ABOUT THE AUTHOR

...view details