କୋରାପୁଟ: ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଆନ୍ଧ୍ର ସରକାର ଅଞ୍ଚଳବାସୀଙ୍କୁ ପ୍ରଲୋଭିତ କରିବାରେ ଏକ ପ୍ରକାର ସଫଳ ହୋଇଥିବାବେଳେ, ବିଳମ୍ବରେ ହେଉ ପଛେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଛି । କୋଟିଆ ନେଇ ସରକାରଙ୍କ ଚିନ୍ତା ବଢିଛି ତେବେ କୋଟିଆ କାହାର, ସେ ନିଷ୍ପତ୍ତି ତ ମାନ୍ୟବର ସୁପ୍ରିମକୋର୍ଟ ନେବେ ମାତ୍ର କୋଟିଆବାସୀଙ୍କୁ ନିଜ ସପକ୍ଷରେ କରିବା ପାଇଁ ସୀମାବର୍ତ୍ତି ଅଞ୍ଚଳରେ ବିକାଶମୂଳକ ଯୋଜନାର କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରାସ୍ତା-କୋଠା ନିର୍ମାଣ ସହ ସେମାନଙ୍କ ଜୀବନଜୀବିକାକୁ ନେଇ ମଧ୍ୟ ସରକାର ତତ୍ପର ହୋଇଛନ୍ତି । ଖାସ୍ କରି ଅଞ୍ଚଳବାସୀଙ୍କ ଜୀବିକାକୁ ସୁଗମ କରିବା ପାଇଁ ସରକାର ଆରମ୍ଭ କରିଛନ୍ତି ତାଲିମ କାର୍ଯ୍ୟକ୍ରମ ।
ଜଙ୍ଗଲ ଓ ପାହାଡ ସହ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ କୋଟିଆ । ଝାଡୁ, ଖଲିପତ୍ର, ତେନ୍ତୁଳି ଓ ହଳଦୀ ନେଇ ସାଧାରଣତଃ କୋଟିଆବାସୀଙ୍କ ଜୀବିକା । ଓଡିଶାରେ ବଜାର ଅଭାବ ଓ ପରିବହନ ସମସ୍ୟା କାରଣରୁ ବାଧ୍ୟ ହୋଇ ଅଞ୍ଚଳବାସୀ ଆନ୍ଧ୍ର ଦଲାଲଙ୍କୁ କମ୍ ଟଙ୍କାର ଜିନିଷ ବିକ୍ରି କରୁଛନ୍ତି କିନ୍ତୁ ଓଡିଶା ସରକାର ବର୍ତ୍ତମାନ ଅଞ୍ଚଳବାସୀଙ୍କ ଠାରୁ ସିଧାସଳଖ ମାଲ୍ ପରିବହନ ପାଇଁ ନିଷ୍ପତ୍ତି ନେଇଛି । ଏଥିପାଇଁ କୋଟିଆରେ ଦୁଇଟି ଉତ୍ପାଦକ ଗ୍ରୁପ୍ ରହିଛି, ଯାହା MSP 50 ଟଙ୍କା ଦରରେ ଝାଡୁ କିଣିବା ସହ ତେନ୍ତୁଳି ମଧ୍ୟ କ୍ରୟ କରୁଛନ୍ତି । ଏହାସହ ହଳଦୀଗୁଣ୍ଡ ପ୍ରସ୍ତୁତ କରିବା କିମ୍ବା ଝାଡୁ ତିଆରି କରିବା ପାଇଁ ଅଞ୍ଚଳବାସୀଙ୍କୁ ତାଲିମ ମଧ୍ୟ ଦିଆଯାଉଛି । ଅନ୍ୟପକ୍ଷେ ଫାଟୁସିନେରୀ ଓ ଫଗୁଣସିନେରୀ ଭଳି ଗ୍ରାମବାସୀଙ୍କୁ ମଧ୍ୟ ତାଲିମ ଦିଆଯିବାର ଆବଶ୍ୟକତା ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।