ଓଡିଶା

odisha

ETV Bharat / state

ମୃତ ବ୍ୟକ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଲା କୋରାପୁଟ ପ୍ରଶାସନ - againt

ଆମ୍ବ ଗ୍ରାମର ଗ୍ରାମବାସୀଙ୍କ ଦ୍ବାରା ଚାଲିଥିବା ଦୀର୍ଘ ଦିନର ସଂଘର୍ଷ ନୂଆ ମୋଡରେ ପହଞ୍ଚିଛି । କୋରାପୁଟ ଜିଲ୍ଲା ପ୍ରଶାସନ ଆମ୍ବ ଗାଁର 26 ଜଣଙ୍କୁ ପାଚେରୀ ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି କରିବା ଓ ଠିକାଦାରଙ୍କ ସହ ଗଣ୍ଡଗୋଳ କରିବା ଅଭିଯୋଗ ଆଧାରରେ ମାମଲା ଦାଖଲ କରିଛି । ଏହି 26ଜଣକ ମଧ୍ୟରେ ଜଣେ ମୃତବ୍ୟକ୍ତି ରହିଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jun 7, 2019, 8:21 PM IST

କୋରାପୁଟ: ଆମ୍ବ ଗ୍ରାମର ଗ୍ରାମବାସୀଙ୍କ ଦ୍ବାରା ଚାଲିଥିବା ଦୀର୍ଘ ଦିନର ସଂଘର୍ଷ ନୂଆ ମୋଡରେ ପହଞ୍ଚିଛି । ପୁଣି ସୃଷ୍ଟି ହୋଇଛି ଉତ୍ତେଜନା । ଦୀର୍ଘ ଦିନଧରି ଜମି ହରାଇ ମୌଳିକ ଅଧିକାରରୁ ବଞ୍ଚିତ ପରିବାରକୁ ଜିଲ୍ଲା ପ୍ରଶାସନ କୌଶଳ କରି ହଇରାଣ ହରକତ କରିବା ସହ ପ୍ରତାଡିତ କରିବା ଖବର ସାମ୍ନାକୁ ଆସିଛି । ପ୍ରଶାସନର ଧୂର୍ତ୍ତତା ସେତେବେଳେ ସାମନାକୁ ଆସିଲା ଯେତେବେଳ ଜଣେ ମୃତବ୍ୟକ୍ତିଙ୍କ ନାମରେ ପ୍ରଶାସନ କାରଣ ଦର୍ଶାଇ ନୋଟିସ୍‌ ପଠାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ପ୍ରଶାସନ ଆମ୍ବ ଗାଁର 26 ଜଣଙ୍କୁ ପାଚେରୀ ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି କରିବା ଓ ଠିକାଦାରଙ୍କ ସହ ଗଣ୍ଡଗୋଳ କରିବା ଅଭିଯୋଗ ଆଧାରରେ କେସ୍‌ ଦାଖଲ କରିଛି । ଏହାସହ ଶୁକ୍ରବାର ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ 10 ହଜାର ଟଙ୍କାର ଜମାନତ ପୈଠ କରିବା ପାଇଁ ନିର୍ଦ୍ଦେଶ ରହିଥିଲା । ଏହାସହ ପରବର୍ତ୍ତୀ ସମୟରେ ଆଉ ଗଣ୍ଡଗୋଳ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ସମସ୍ତଙ୍କୁ ଛଡାଯାଇଥିଲା । ଏହି 26ଜଣକ ମଧ୍ୟରେ ଜଣେ ମୃତବ୍ୟକ୍ତି ରହିଥିବା ସୂଚନା ମିଳିଛି ।

ଏହି ଅଭିଯୋଗ ଆସିବା ପରେ ପ୍ରଶାସନର ଅଯଥାରେ ଗ୍ରାମବାସୀଙ୍କୁ ହଇରାଣ କରିବା ସହ କମ୍ପାନୀକୁ ଖୁସି କରିବା ପାଇଁ ରଚିଥିବା ଚତୁରତାପୂର୍ଣ୍ଣ ଷଡଯନ୍ତ୍ର ପଦାରେ ପଡିଛି । ସେହି ଗାଁର ହରି ଜାନୀ ମୃତ୍ୟୁବରଣ କରିଥିଲେ ହେଁ ତାଙ୍କ ନାଁରେ ନୋଟିସ ଯିବା ନେଇ ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

ଏତଦ୍‌ବ୍ୟତିତ ପ୍ରଶାସନ ଆନ୍ଦୋଳନକୁ ବିଫଳ କରିବା ପାଇଁ ପ୍ରାଣପଣେ କେତେ ଯେ ବ୍ୟସ୍ତ ବିବ୍ରତ ହୋଇ ଚେଷ୍ଟା କରୁଛି ତାହାର ନମୁନା ଏହି ଘଟଣାରୁ ଜଳଜଳ ହୋଇ ବାରି ହୋଇ ପଡୁଛି । ମୃତ ପତିଙ୍କ ନାମରେ ନୋଟିସ୍‌ ଆସିବା ପରେ ପତ୍ନୀଙ୍କ ଅଭିଯୋଗ ଏହିଭଳି ଏକ ଘଟଣା ଲୋକଲୋଚନକୁ ଆସିଛି ।

କମ୍ପାନୀପ୍ରେମୀ ପ୍ରଶାସନ ଗ୍ରାମବାସୀଙ୍କୁ ନାନାଦି ଉପାୟରେ ଡରାଣ ଦେଖାଉଛି । କେତେବେଳେ ଠିକାଦାରଙ୍କ ଗୁଣ୍ଡା , ଆଉ କେତେବେଳେ ପୋଲିସ ଓ ପ୍ରଶାସନ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଇ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାରକୁ ଦଳି ଚକଟି ଦବାଇ ଦେବାକୁ ଚେଷ୍ଟା କରୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।

ତେବେ ନାଲକୋ କମ୍ପାନୀଠାରୁ ପ୍ରତାରିତ ହୋଇ ଜୀବନ ଧାରଣର ବିକଳ୍ପ ପନ୍ଥା ନଥିବା ବେଳେ ଗାଁ ଲୋକେ କେଉଁଠାକୁ ଓ କିପରି ଚାଲିଯିବେ ସେ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । କମ୍ପାନୀ ତରଫରୁ ଗ୍ରାମବାସୀଙ୍କ ଜୀବନ ଧାରଣ କରିବା ପାଇଁ ବ୍ୟବସ୍ଥା କରାନଗଲେ ଗ୍ରାମବାସୀ ଗୁଳି ଖାଇ ମଧ୍ୟ ଗାଁରେ ଭିଟାମାଟିକୁ ଜାବୁଡି ଧରି ପଡିରହିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ତେବେ ଏ ସଂକ୍ରାନ୍ତରେ ଉପଜିଲ୍ଲାପାଳଙ୍କ ମତାମତ ସଂଗ୍ରହ କରିବାକୁ ଚେଷ୍ଟା କରିଯାଇଥିଲେ ମଧ୍ୟ ସେ କ୍ୟାମେରା ସାମନାରେ ନୀରବ ମୁଦ୍ରା ଧାରଣ କରିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାରା, ଇଟିଭି ଭାରତ

ABOUT THE AUTHOR

...view details