କୋରାପୁଟ: ଆନ୍ଧ୍ରପ୍ରଦେଶ ସରକାର କଫି ଚାଷକୁ ପ୍ରୋତ୍ସାହନ ଦେଉଥିବାବେଳେ ଓଡିଶାରେ କଫିଚାଷ ଅଗ୍ରଗତି ଅନୁସନ୍ଧାନରେ ରହିଛି ।
୪୮ ବର୍ଷ ମଧ୍ୟରେ ଆନ୍ଧ୍ର ସରକାରଙ୍କ ପ୍ରୋତ୍ସାହନରେ ସରକାରୀ ଓ ବେସରକାରୀସ୍ତରରେ ଆରାକୁ ଅଞ୍ଚଳର ୬୪ ହଜାର ହେକ୍ଟରରେ କଫିଚାଷ ହେଉଥିବାବେଳେ କୋରାପୁଟ ଜିଲ୍ଲାର ମାତ୍ର ୪ ହଜାର ହେକ୍ଟର ଜାଗାରେ କଫି ଚାଷ କରାଯାଇ ପାରିଛି ବୋଲି କୋରାପୁଟରେ କଫି ଚାଷର ଉନ୍ନତି ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ କଫି ବୋର୍ଡ଼ର ବରିଷ୍ଠ ସମ୍ପ୍ରସାରଣ ଅଧିକାରୀ ଅଜିତ କୁମାର ରାଉତ ଜଣାଇଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ସରକାର ଆରାକୁ ଓ ପାଡେରୁ ଅଞ୍ଚଳରେ ଥିବା କଫି ଚାଷର ସମ୍ଭାବନା ଓ ଆଦିବାସୀ ବହୁଳ ଅଞ୍ଚଳରେ ଅର୍ଥନୈତିକ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ କଫି ଚାଷର ଯୋଗଦାନକୁ ଉପଲବ୍ଧି କରି ଏହାକୁ ରାଜ୍ୟର ଏକ ପ୍ରମୁଖ ପଲିସିର ମାନ୍ୟତା ଦେଇଥିବା ରାଉତ କହିଛନ୍ତ ।
ସମାନ ପରିମାଣର ସୁଯୋଗ ଓ ସମ୍ଭାବନାକୁ ଧାରଣ କରିଥିବା କୋରାପୁଟ ଜିଲ୍ଲାରେ କଫି ଚାଷର ଭଲମନ୍ଦ ବୁଝିବା ପାଇଁ ରାଜ୍ୟରେ ବିଧିବଦ୍ଧ ପଲିସିର ଅଭାବ ରହିଥିବା ରାଉତ ପ୍ରକାଶ କରିଛନ୍ତି ।
ତେବେ ଜିଲ୍ଲା ପ୍ରଶାସନର ପ୍ରୟାସରେ କୋରାପୁଟ କଫି ଡେଭେଲପମେଣ୍ଟ ଟ୍ରଷ୍ଟର ସ୍ଥାପନା ଏ ଦିଗରେ ଏକ ସଫଳ ପ୍ରୟାସ । ଏହା ପ୍ରୟାସରେ କଫି ବୋର୍ଡ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଚାଷୀଙ୍କ ପାଇଁ ରହିଥିବା ସହାୟତାକୁ ସାଧାରଣ ଚାଷୀଙ୍କ ପାଖରେ ପହଞ୍ଚାଇବା ସହିତ ଏହି ଅଂଚଳରେ ଜଙ୍ଗଲ ସୁରକ୍ଷା ଓ ବ୍ୟାପ୍ତି ବୃଦ୍ଧି କରିବା ଦିଗରେ ସଫଳ ପ୍ରୟାସ ହୋଇପାରିବ ବୋଲି ରାଉତ ମତ ରଖିଛନ୍ତି ।
ଅନ୍ୟପକ୍ଷରେ ସରକାରୀ ଓ ବେସରକାରୀ ସ୍ତରରେ ହେଉଥିବା ପ୍ରୟାସରେ କଫି ବୋର୍ଡ ଓ କୋରାପୁଟ କଫି ଡେଭେଲପମେଣ୍ଟ ଟ୍ରଷ୍ଟର ମିଳିତ ପ୍ରୟାସ କଫି ଚାଷକୁ ଏକ ଉଚ୍ଚତର ସ୍ଥାନରେ ପହଞ୍ଚାଇପାରିବ ବୋଲି ବହୁ ସମ୍ମାନରେ ଭୂଷିତ ହୋଇଥିବା କୋରାପୁଟ ଜିଲ୍ଲାର ଜଣେ ଅଗ୍ରଣୀ କଫି ଚାଷୀ ସୁଜୟ ପ୍ରଧାନ ମତ ରଖିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ