ଓଡିଶା

odisha

ETV Bharat / state

ପ୍ରତାରଣା ସାଜିଲା ପ୍ରେରଣାର ଉତ୍ସ, ପଢନ୍ତୁ ଜଣେ ସଫଳ ଚାଷୀର କାହାଣୀ

ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ସରକାରୀ ବାବୁଙ୍କ ଠାରୁ ପ୍ରତାରିତ ହୋଇ ସଫଳ ଚାଷୀ ଭାବେ ଖ୍ୟାତି ପାଇଛନ୍ତି କୋରାପୁଟର ଚାଷୀ କୁମ ଜାନୀ ।

By

Published : May 4, 2019, 3:29 PM IST

Updated : May 4, 2019, 4:34 PM IST

ଡିଜାଇନ ଫଟୋ

କୋରାପୁଟ: କଠୋର ଉଦ୍ୟମରେ ଅସମ୍ଭବ ହୁଏ ସମ୍ଭବ । ଏକଥା ଆପଣ ଶୁଣିଥିବେ । ହେଲେ ଜଣେ ସରକାରୀ ବାବୁଙ୍କ ପ୍ରତାରଣା ଜଣଙ୍କୁ ସଫଳ ଚାଷୀ ଭାବେ ଯେ ଗଢି ଦେବ ଏକଥା ହୁଏତ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ । ଆମେ କହୁଛୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଲତାପୁଟ ଗାଁର କ୍ଷୁଦ୍ରଚାଷୀ କୁମ ଜାନୀଙ୍କ କଥା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୁମଙ୍କୁ ବାପ ଅଜା ଅମଳରୁ ମିଳିଥିଲା ଢାଲୁ ଜମି ଖଣ୍ଡେ । ପାହାଡିଆ ଇଲାକାରେ ଢାଲୁ ଜମିକୁ ସମତଳ କରି ଚାଷ କମ କଷ୍ଟ ନ ଥିଲା । ପାଣିର ଅଭାବ ଯୋଗୁଁ ଗତ 15 ବର୍ଷ ତଳେ ତାଙ୍କୁ ଜଣେ ସରକାରୀବାବୁ ଉପରମୁଣ୍ଡରୁ ଆସୁଥିବା ପାଣିକୁ ଚେକ ଡ୍ୟାମ କରି ଖରାଦିନେ ଚାଷ କରିବାକୁ ସ୍ବପ୍ନ ଦେଖାଇଥିଲେ । ଭଲ ଚାଷ ଆଶାରେ ନିଜ ସଞ୍ଚିତ ଧନକୁ ସେ ସମୟରେ ସରକାରୀ ଅଧିକାରୀଙ୍କ ହାତରେ ଧରାଇ ଦେଇଥିଲେ । ହେଲେ ଟଙ୍କା ନେବା ପରେ ସେହି ସରକାରୀ ଅଧିକାରୀଙ୍କ ବଦଳି ହୋଇଯାଇଥିଲା । କୁମଙ୍କ ସବୁ ଆଶା ମଉଳି ଗଲା, କିନ୍ତୁ ସେ ଆତ୍ମବିଶ୍ବାସକୁ ଦୁର୍ବଳ କଲେନି ।

ସରକାରୀ ବାବୁଙ୍କ ଏହି ପ୍ରତାରଣା ତାଙ୍କ ମଧ୍ୟରେ ନିଜେ କିଛି କରିବାର ପ୍ରେରଣା ଯୋଗାଇଦେଲା । ସରକାରୀ ସହଯୋଗରେ ସେ ଯାହା କରିବାର ସ୍ୱପ୍ନ ଦେଖିଥିଲେ ତାକୁ ନିଜ ହାତରେ ଗଢିବା ପାଇଁ ତୀବ୍ର ସଂକଳ୍ପ ନେଲେ । ଢାଲୁ ଜମିକୁ ସମତଳ କରିବା ସହିତ ଝରଣାର ମୁହଁରେ ପଥର ବାନ୍ଧି ପାଣିକୁ ଅଟକାଇବା ଓ ସେହି ଜଳକୁ ଉପରମୁଣ୍ଡ ଜମିକୁ ନେବାର ପ୍ରୟାସ କରିଥିଲେ । ସରକାରୀ କଳ ଉପରେ ସମ୍ପୂର୍ଣ ଆସ୍ଥା ହରାଇବସିଥିବା କୁମ ବାରମ୍ବାର ଚିନ୍ତା କଲେ । ନିଜ ବିଫଳତାକୁ ବାରମ୍ବାର ପରୀକ୍ଷା ନିରୀକ୍ଷା କରି ଶେଷକୁ ଏକ ଶକ୍ତ ବନ୍ଧ ବାନ୍ଧିବାରେ ସଫଳ ହୋଇଛନ୍ତି ।

ଦୀର୍ଘ ନଅ ବର୍ଷର ଅକ୍ଲାନ୍ତ ପରିଶ୍ରମର ଫଳସ୍ୱରୂପ ତାଙ୍କ ସ୍ୱପ୍ନ ସାକାର କରି ଠିଆ ହେଲା ଏକ ସୁଉଚ୍ଚ ବନ୍ଧ । ଅଦରକାରୀ ଭାବେ ପାହାଡ଼ ତଳେ ଗଡି ଯାଉଥିବା ଝରଣା ପାଣିକୁ ବ୍ୟବହାର କରି ଉପରମୁଣ୍ଡ ଜମିରେ ଆଜି ବର୍ଷ ତମାମ ବିଭିନ୍ନ ପନିପରିବା ଚାଷ କରିବା ସହ ତଳ ଭାଗରେ ବର୍ଷକୁ ତିନିଥର ଧାନଚାଷ କରୁଛନ୍ତି କୁମ । ତାଙ୍କ ଏହି ପ୍ରୟାସରେ ସହଯୋଗର ହାତ ବଢ଼ାଇଛନ୍ତି ଅଗ୍ରଗାମୀ ସ୍ବେଛାସେବୀ ସଂଗଠନ ।


କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : May 4, 2019, 4:34 PM IST

For All Latest Updates

ABOUT THE AUTHOR

...view details