କୁନ୍ଦୁରା(କୋରାପୁଟ): ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ। ପୂର୍ବରୁ ଏହିପରି ଘଟଣା ବାରମ୍ବାର ଘଟୁଥିବା ବେଳେ ଏଥିରେ ବିରାମ ଲାଗୁନି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସୁରକ୍ଷାଦାତାଙ୍କୁ ସବୁ ଆଡେ ଆକ୍ରମଣର ଶିକାର ହେବାକୁ ପଡୁଛି। ସତ୍ୟ ଓ ନ୍ୟାୟ ପାଇଁ ସ୍ବର ଉଠାଉଥିବା ଲୋକଟି ଅସାମାଜିକ ଓ ଦୁର୍ବୃତ୍ତଙ୍କ ରୋଷର ଶିକାର ହେଉଛି। ଏଭଳି ଏକ ସଦ୍ୟତମ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ଅଞ୍ଚଳରେ।
ଜିଲ୍ଲାର ଜଣେ ଜଣାଶୁଣା ସାମ୍ବାଦିକ ଅକ୍ଷୟ ପଟ୍ଟନାୟକଙ୍କୁ ଶୁକ୍ରବାର ରାତିରେ ଦୁଇ ଜଣ ଦୁର୍ବୃତ୍ତ କୁନ୍ଦୁରା ମିଲ୍ ଛକରେ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଛନ୍ତି। ଏଥିରେ ସାମ୍ବାଦିକ ଜଣଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଘଟଣା ପରେ ତାଙ୍କୁ ତୁରନ୍ତ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାମ୍ବାଦିକଙ୍କ ମୁଣ୍ଡରେ ପାଖାପାଖି 20ରୁ ଉର୍ଦ୍ଧ୍ବ ଷ୍ଟିଚ୍ ପଡିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି ବୋଲି ସାମ୍ବାଦିକଙ୍କ ସାନ ଭାଇ ଅମିତ ପଟ୍ଟନାୟକ ‘ଇଟିଭି ଭାରତ’କୁ ସୂଚନା ଦେଇଛନ୍ତି।
ଘଟଣାକ୍ରମରେ, ସାମ୍ବାଦିକ ଜଣକ ଯାଉଥିବା ରାସ୍ତାରେ ଏହି ଦୁଇ ଅସାମାଜିକ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ମାରଣାସ୍ତ୍ର ଧରି ଛିଡା ହୋଇଥିଲେ। ତେବେ ଏହାକୁ ଅକ୍ଷୟ ବାରଣ କରିବାରୁ ସେମାନଙ୍କୁ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉକ୍ତ ଦୁଇ ଯୁବକ ନିଶାସକ୍ତ ଅବସ୍ଥାରେ ଥିବାରୁ ଉତ୍ତକ୍ଷିପ୍ତ ହୋଇ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ। ଖବର ଥାଉକି, ଉକ୍ତ ଦୁଇ ଯୁବକ ପୂର୍ବରୁ ଏକ ଲୁଟ୍ ଘଟଣାରେ ଗିରଫ ହୋଇଥିଲେ। ଯାହାର ଖବର ଅକ୍ଷୟ ପ୍ରକାଶ କରିଥିଲେ। ତେବେ ଦୀର୍ଘ ଦିନର ଅସନ୍ତୋଷକୁ ସୁଝାଇବା ପାଇଁ ସାମ୍ବାଦିକଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିବା କୁହାଯାଉଛି।