କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପାଞ୍ଚଟି ବିଷୟ ବସ୍ତୁ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି । ଦୀର୍ଘ ୧୧ ଦିନ ଧରି ଓଡ଼ିଆ, ହିନ୍ଦୀ, ସଂସ୍କୃତ, ଇଂରାଜୀ ଭାଷା ସମେତ ଅର୍ଥନୀତି ବିଭାଗ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି । ଏହି ଅବସରରେ ବାହାର ଦେଶରୁ ଅଭିଜ୍ଞ ପ୍ରଫେସର ଏଠାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ଚକ୍ରଧର ତ୍ରିପାଠୀ ସୂଚନା ଦେଇଛନ୍ତି ।
ଆଜିଠୁ 17 ତାରିଖ ପର୍ଯ୍ୟନ୍ତ ହିନ୍ଦୀ ସମ୍ମିଳନୀ ଆୟୋଜିତ ହେବ । ଏହାର ବିଷୟବସ୍ତୁ ରହିଛି 'ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହିନ୍ଦୀର ସ୍ଥିତି ଓ ଦିଗ' । ଅନ୍ୟ ରାଜ୍ୟ ତଥା ଦେଶରୁ ଆସିଥିବା ବିଭିନ୍ନ ପ୍ରଫେସର ଏଥିରେ ସାମିଲ ହେବେ । ଯାହା ଫଳରେ ଏଠାକାର ଛାତ୍ରଛାତ୍ରୀମାନେ ହିନ୍ଦୀ ବିଷୟ ନେଇ ଅନେକ ଜ୍ଞାନ ଆହୋରଣ କରିପାରିବେ । ସଂସ୍କୃତ ବିଭାଗ ପକ୍ଷରୁ 'ଭାରତ ଓ ବିଶ୍ବରେ ସଂସ୍କୃତ ଭାଷାର ମହତ୍ଵ ' ବିଷୟ ନେଇ ଶୀର୍ଷକ ସମ୍ମିଳନୀ ଆୟୋଜିତ ହେଉଛି ।
ସେହିପରି ଇଂରାଜୀ ବିଭାଗ ତରଫରୁ ' Imagining and translating the Other : Engaging with contemporary Indian Literature' ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ 'ପ୍ରବାସୀ ଓଡ଼ିଆ ସାହିତ୍ୟ' ନେଇ ଆଲୋଚନା ହେବ । ସେହିପରି ଅର୍ଥନୀତି ବିଭାଗ ଏବଂ ସାମ୍ବାଦିକତା ବିଭାଗ ତରଫରୁ 'ଭାରତରେ ବିକାଶର ଇତିହାସ: ସ୍ବାଧୀନତାର 75ତମ ବର୍ଷରେ ଅର୍ଥନୈତିକ ଓ ଯୋଗାଯୋଗ ପରିସ୍ଥିତି ଉପରେ ପ୍ରତିଫଳନ' ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି ।