ଓଡିଶା

odisha

ETV Bharat / state

ସମସ୍ୟାର ପାହାଡ ତଳେ ଆଦିବାସୀ ବାଦ୍ୟ କାରିଗର

କୋରାପୁଟ ଜିଲ୍ଲାର ବାଜା ତିଆରି ଓ ମରାମତି ପାଇଁ ଖ୍ୟାତି ଅର୍ଜ୍ଜନ କରିଥିବା ବୋରିଗୁମ୍ମା ବ୍ଲକର ଏକ ନିଭୃତ କୋଣରେ ଲୁଚି ରହିଛନ୍ତି ଛତରଲା ଗାଁ ମଙ୍ଗଳି ଜାତି ର ବାଜା କାରିଗର । ଗାଁର ଗୋଟିଏ ପଟେ ରହୁଥିବା ଏହି କୋଡ଼ିଏଟି ପରିବାରର ଚତୁଃପାର୍ଶ୍ଵରେ ଚମଡାର ଗନ୍ଧ ।

By

Published : May 29, 2019, 8:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ବାଜା ବଜାଇବାକୁ କାହାକୁ ବା ଭଲ ନଲାଗେ ! ଢାମ୍ପ, ନିଶାନ, ଟିଡିବିଡ଼ି, ଢୋଲ ବାଜା ବାଜିଲେ ଆଦିବାସୀ ଯୁବକ ଯୁବତୀ ନାଚି ଉଠନ୍ତି । କୀର୍ତ୍ତନ ମଣ୍ଡଳୀ ବଜାଉଥିବା କୀର୍ତ୍ତନ ଖୋଲ ବାଜିଲେ ଗାଁରେ ଭକ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଯାଏ । ତେବେ ଏହି ସମସ୍ତ ଆନନ୍ଦ ସୃଷ୍ଟି ହେବା ପଛରେ ଥିବା ବାଜାକୁ ଯେଉଁମାନେ ତିଆରି କରନ୍ତି ଓ ଖରାପ ହେଲେ ମରାମତି କରନ୍ତି, ସେମାନେ ପରଦା ଆଢ଼ୁଆଳେ ରହିଯାଆନ୍ତି ।

କୋରପୁଟ ଜିଲ୍ଲାର ବାଜା ତିଆରି ଓ ମରାମତି ପାଇଁ ଖ୍ୟାତି ଅର୍ଜ୍ଜନ କରିଥିବା ବୋରିଗୁମ୍ମା ବ୍ଲକର ଏକ ନିଭୃତ କୋଣରେ ଲୁଚି ରହିଛନ୍ତି ଛତରଲା ଗାଁ ମଙ୍ଗଳି ଜାତିର ବାଜା କାରିଗର । ଗାଁର ଗୋଟିଏ ପଟେ ରହୁଥିବା ଏହି କୋଡ଼ିଏଟି ପରିବାରର ଚତୁଃପାର୍ଶ୍ଵରେ ଚମଡାର ଗନ୍ଧ । ବୋରିଗୁମ୍ମାରେ ଥିବା ଚମଡା ଗୋଦାମରୁ ବିଭିନ୍ନ ପଶୁର ଚମଡ଼ାକୁ ଆଣି ଏଠାରେ ବାଜା ତିଆରି କରୁଥିବା କାରିଗରଙ୍କ ପାଇଁ ଏହାହିଁ ଜୀବନ ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପ୍ରତ୍ୟେକ ପରିବାର ବର୍ଷକୁ ପାଖାପାଖି ୫୦ଟି ବାଜା ତିଆରି କରନ୍ତି ଓ କିଛି ବାଜାର ମରାମତି ମଧ୍ୟ କରନ୍ତି । ଏହି ଗାଁକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକେ ବାଜା କିଣିବା ଓ ମରାମତି କରାଇବା ପାଇଁ ଆସୁଥିବା ବାଜା କାରିଗର ମାଙ୍ଗଳି କହିଛନ୍ତି ।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଗାଁ ଗାଁରେ ନୃତ୍ୟ, ନାଟକ ଦଳର ପୁନରୁଦ୍ଧାର କରି ସେମାନଙ୍କୁ ବାଜା କିଣିବା ପାଇଁ ଆର୍ଥିକ ସହଯୋଗ ପ୍ରଦାନ କରାଯାଉଥିବା ଯୋଗୁଁ ଛତରଲା ଗ୍ରାମର କାରିଗରଙ୍କ ପାଇଁ ଆହୁରି ଅଧିକ କାମ ମିଳିବାରେ କିଛି ସମସ୍ୟା ହେବ ନାହିଁ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ କହିଛନ୍ତି ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details