କୋରାପୁଟ: ଦୀର୍ଘଦିନର ପ୍ରତିକ୍ଷାର ଅନ୍ତ ଘଟିଛି । ଦୀର୍ଘ ସାତ ମାସର ଆନ୍ଦୋଳନ ପରେ ଆସନ୍ତା ଦଶ ତାରିଖରେ ଖୋଲିବାକୁ ଯାଉଛି ଅବିଭକ୍ତ କୋରାପୁଟ ଜିଲ୍ଲାର କୋର୍ଟ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ଗତବର୍ଷ ଡ଼ିସେମ୍ବର ମାସ ୬ ତାରିଖରୁ କୋରାପୁଟ , ରାୟଗଡ଼ା , ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ସମସ୍ତ କୋର୍ଟ ଓକିଲଙ୍କ ଦ୍ଵାରା ବନ୍ଦ କରିଦିଆଯାଇଥିଲା ।
ମହକିଲଙ୍କ ଅସୁବିଧାକୁ ଆଖିରେ ରଖି ଅନେକ ଥର ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ବସିଥିଲେ ହେଁ ସରକାର ସେମାନଙ୍କ ଦାବି ପ୍ରତି ତିଳେ ମାତ୍ର ଭ୍ରୁକ୍ଷେପ କରିନଥିବା ଯୋଗୁଁ ଓକିଲଙ୍କ ଆନ୍ଦୋଳନ ଦିନ ପରେ ଦିନ ଗଡ଼ିଯାଇ ସାତ ମାସରେ ପହଞ୍ଚିଥିଲା । ହେଲେ ଗତକାଲି ଜୟପୁରରେ ଅନୁଷ୍ଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକରେ ଏହି ଆନ୍ଦୋଳନକୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରଖି ୧୦ ତାରିଖରୁ କୋର୍ଟ କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି କୋରାପୁଟ ବାର ଆସୋସିଏସନ୍ ର ସଭାପତି ସୁଦର୍ଶନ ଗୌଡ ଜଣାଇଛନ୍ତି ।