କୋରାପୁଟ: ପ୍ରାକୃତିକ ବିପର୍ଯ୍ୟୟରେ ସବୁଠାରୁ ଅଧିକ ବିପର୍ଯ୍ୟସ୍ତ ହୋଇଥାଏ ନଦୀ ପାଖ ଗ୍ରାମାଞ୍ଚଳ । ଜିଲ୍ଲା ସଦର ମହକୁମାରୁ ଗାଁଦାଣ୍ଡକୁ ତାଲିମପ୍ରାପ୍ତ ଉଦ୍ଧାରକାରୀ ଦଳ ପହଞ୍ଚିଲା ବେଳକୁ ଅନେକ କ୍ଷୟକ୍ଷତି ହୋଇସାରିଥାଏ । ଏହି ସମସ୍ୟାଙ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମଗ୍ର ରାଜ୍ୟର 10 ହଜାର ଗାଁରେ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଯୋଜନା ପ୍ରସ୍ତୁତ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
ବିପର୍ଯ୍ୟୟ ପ୍ରଶମନ ପାଇଁ ଗ୍ରାମ୍ୟସ୍ତରୀୟ ଯୋଜନା - ଗ୍ରାମ୍ୟସ୍ତରୀୟ ଯୋଜନା
ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ପାଇଁ ଜିଲ୍ଲା ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହା ବ୍ୟତୀତ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଯୋଜନା ପ୍ରସ୍ତୁତ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଜୟପୁର, ବୋରିଗୁମ୍ମା , କୋଟପାଡ ଓ କୁନ୍ଦୁରା ବ୍ଲକ ଅନ୍ତର୍ଗତ ୨୫୦ ଟି ଗ୍ରାମରେ ଏହି ଯୋଜନା ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତାଲିମ ଶିବିରର ଆୟୋଜନ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆପାତକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ । ଚାରୋଟି ବ୍ଲକରେ ତିନୋଟି ସ୍ବେଚ୍ଛାସେବୀ ସଂଗଠନ ସହଯୋଗରେ ଏହି ଯୋଜନା ପ୍ରସ୍ତୁତ କରାଯାଉଛି । ଫଳରେ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଏକ ନୂତନ ପଦକ୍ଷେପ ପାଇଁ ଉତ୍ସାହିତ ଅଛନ୍ତି । ଗ୍ରାମ୍ୟ ସ୍ତରୀୟ ଯୋଜନାରେ ସ୍ଥାନୀୟ ଆବଶ୍ୟକତା ଓ କାର୍ଯ୍ୟପ୍ରଣାଳୀକୁ ଗୁରୁତ୍ୱ ଦିଆଯାଉଥିବା କାରଣରୁ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇପାରିବ ବୋଲି ସ୍ବେଚ୍ଛାସେବୀ ରମେଶ ସ୍ବାଇଁ ମତ ରଖିଛନ୍ତି ।
କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ