ଓଡିଶା

odisha

ETV Bharat / state

ଦ୍ବୈତ ଶାସନର ଛକାପଞ୍ଝାରେ ପେଶି ହେଉଛି ଡାୟଲେସିସ କେନ୍ଦ୍ର !

ଅଭାବ ସହ ଲାଗି ରହିଛି ଆରୋପ ପ୍ରତ୍ୟାରୋପର ପ୍ରକ୍ରିୟା । ତଥାପି ଚାଲିଛି ରୋଗୀଙ୍କ ସେବା । ଏ ହେଉଛି ଜିଲ୍ଲାରେ କିଡନୀ ରୋଗୀଙ୍କ ସେବା ପାଇଁ ସ୍ଥାପନ ହୋଇଥିବା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲର କଥା । ଯେଉଁଠାରେ ଅଭାବ ଅସୁବିଧା ମଧ୍ୟରେ ଚାଲିଛି ରୋଗୀଙ୍କ ସେବା ।

By

Published : Jun 14, 2019, 9:21 PM IST

Updated : Jun 18, 2019, 10:56 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଜିଲ୍ଲାରେ କିଡନୀ ରୋଗୀଙ୍କ ସେବା ପାଇଁ ସ୍ଥାପନ ହୋଇଥିବା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲର କଥା ବର୍ତ୍ତମାନ ନ କହିବା ଭଲ । ଯେଉଁଠାରେ ନାନାଦି ଅସୁବିଧା ମଧ୍ୟରେ ଚାଲିଛି ରୋଗୀଙ୍କ ସେବା । ଏଠାରେ ଦୈନିକ ପ୍ରାୟ 14ଜଣ ରୋଗୀଙ୍କ ଡାୟଲେସିସ କରାଯାଉଥିବା ବେଳେ ଏଯାବତ୍‌ ସାତ ହଜାର ରୋଗୀ ଚିକିତ୍ସିତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଗତବର୍ଷ ଖୋଲାଯାଇଥିବା ଏହି ହସ୍ପିଟାଲକୁ କିନ୍ତୁ କିଛି ମାସ ନପୂରୁଣୁ ବିଜୁଳି, ଜଳ, ଅର୍ଥ ଓ ଡାକ୍ତରଙ୍କ ଅଭାବ ଦେଖାଦେଇଛି । ଠିକାରେ ନିୟୋଜିତ ଡାକ୍ତର, ଟେକ୍ନିସିଆନ ଓ ସେବକଙ୍କ ଆପ୍ରାଣ ଉଦ୍ୟମରେ ହସ୍ପିଟାଲଟି ଚାଲିଥିବା ବେଳେ ଏହାର ପରିଚାଳନା କରୁଛନ୍ତି ଦିନେଶ କୁମାର ସାହୁ । ସେମାନଙ୍କର ଅଭିଯୋଗ ରହିଛି କି କେନ୍ଦ୍ରରେ ଅଧିକାଂଶ ସମୟରେ ବିଜୁଳି ବିଭ୍ରାଟ ଓ ଜଳର ଅଭାବ ଲାଗି ରହିଥିବାରୁ ଡାକ୍ତର ଓ କର୍ମଚାରୀ ଜନତାଙ୍କ ଆକ୍ରୋଶର ଶିକାର ହେଉଛନ୍ତି ।

ଅନ୍ୟପଟେ ଏକ ବେସରକାରୀ କମ୍ପାନୀ ଏହି କେନ୍ଦ୍ରକୁ ମେଡିକାଲ କଲେଜ ପରିସରରେ ଚଲାଇଥିବା ବେଳେ ଏହାର ପରିଚାଳନା ପାଇଁ କମ୍ପାନୀକୁ ସିଡିଏମ୍‌ଓଙ୍କ ନିୟନ୍ତ୍ରଣରେ ଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ ଅର୍ଥ ଯୋଗାଇଥାଏ । ହେଲେ ଅସୁବିଧା ହେଲା ବେଳେ କେହି ବି ଆଗକୁ ଆସି ସ୍ଥାୟୀ ସମାଧାନ କରୁ ନଥିବା ପରିଚାଳକ ଅଭିଯୋଗ ହୋଇଛି । ଏପରିକି ଜାତୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ଦିଆଯାଉଥିବା ଅର୍ଥ ଗତ 9 ମାସ ଧରି କମ୍ପାନୀକୁ ମିଳିନଥିବା ସେ ଜଣାଇଛନ୍ତି ।

ମେଡିକାଲ କଲେଜର ସୁପେରିନଟେଣ୍ଡେଣ୍ଟ ବିଲ ପୈଠ କଲେ ସିଡିଏମଓ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ହେଳେ ଗତ ଡିସେମ୍ବର ମାସରୁ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ବିଲ ଦିଆଯାଇନଥିବା ସିଡିଏମଓ ଦଧିବାମନ ତ୍ରିପାଠୀ ସୂଚନା ଦେଇଛନ୍ତି । ଫଳରେ ମେଡିକାଲ କଲେଜ ଓ ଜିଲ୍ଲା ଚିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଚାଲିଥିବା ଏହି ଦ୍ବୈତ ଶାସନର ଛକାପଞ୍ଝା ମଧ୍ୟରେ ପେଷି ହୋଇଯାଇଛି ଏହି ଡାୟାଲେସିସ କେନ୍ଦ୍ର ।

ତେବେ ବର୍ତ୍ତମାନ 78 ବର୍ଷରେ ପଦାର୍ପଣ କରିଥିବା ଅବସରପ୍ରାପ୍ତ ଡାକ୍ତର ଦ୍ବୈତ ଶାସନରେ ଦେଖାଯାଇଥିବା ଦ୍ଵନ୍ଦ୍ବ ମଧ୍ୟରେ ଆଉ ହଇରାଣ ନହେବା ପାଇଁ ଏହି କେନ୍ଦ୍ରର ଦାୟୀତ୍ବରୁ ନିଜକୁ ଦୁରେଇ ଦେଇଛନ୍ତି । ତାଙ୍କ ଇସ୍ତଫା ଦେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ତରଫରୁ କୌଣସି ଡାକ୍ତର ନିୟୋଜିତ ହୋଇନଥିବା ଯୋଗୁଁ ମେଡିକାଲ କଲେଜର ଡାକ୍ତରଙ୍କୁ ଏହାର ଦାୟିତ୍ବ ହସ୍ତାନ୍ତର କରାଯାଇଛି । ତେବେ ମେଡିକାଲ କଲେଜର ବ୍ୟସ୍ତବହୁଳ କାର୍ଯ୍ୟ ଭିତରେ ସେଠାକାର ଡାକ୍ତର ଏହି କେନ୍ଦ୍ରରେ ଆବଶ୍ୟକ ମୁତାବକ ସମୟ ଦେଇ ପାରୁନଥିବା ଯୋଗୁଁ ଅଧିକାଂଶ ସମୟରେ ଟେକ୍ନିସିଆନ ନିଜ ଅନୁଭୂତିକୁ ଆଶ୍ରା କରି ସେବା ଯୋଗାଇ ଚାଲିଛନ୍ତି ।

କିନ୍ତୁ ଏହିପରି ଭାବେ ନିଅଣ୍ଟିଆ ଜଳ, ବିଦ୍ୟୁତ ଓ ଅର୍ଥ ସହିତ ଡାକ୍ତର ଅଭାବରେ କିଡନୀ ରୋଗରେ ପୀଡିତ ରୋଗୀଙ୍କ ଉନ୍ନତ ସେବାରେ ଅଭାବ ଆସିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated : Jun 18, 2019, 10:56 AM IST

ABOUT THE AUTHOR

...view details