କୋରାପୁଟ:ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ଚର୍ଚ୍ଚିତ ଦେଓମାଳି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଆଦିବାସୀ ଜନଜାତିଙ୍କ ପ୍ରାକୃତିକ ଅଳଙ୍କାର ଓ ବେଶଭୂଷାର ଚିତ୍ରକୁ ଏକ ବ୍ୟାନର ମାଧ୍ୟମରେ ନେଇ କୋରାପୁଟ ଜିଲ୍ଲାର ଛଅଜଣ ଯୁବକ ପର୍ଯ୍ୟଟକ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରି ଫେରିଛନ୍ତି । ପର୍ଯ୍ୟଟକ ଦଳର ଜଣେ ସଦସ୍ୟ ତଥା ଓଡ଼ିଶାର ଜଣେ ବହୁ ଚର୍ଚ୍ଚିତ ପ୍ରକୃତି ପ୍ରେମୀ ଫଟୋଗ୍ରାଫର୍ ସୁଶାନ୍ତ ପଣ୍ଡାଙ୍କ କହିବାନୁଯାୟୀ, ‘‘ଏହି ଦଳ, ଗତ କିଛି ବର୍ଷ ଧରି ଦେଶର ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀକୁ ଭ୍ରମଣ କରନ୍ତି ଓ କୋରାପୁଟ ଅଞ୍ଚଳର ଏକ ବିଶେଷ ବାର୍ତ୍ତାକୁ ବହନ କରି ସେହି ସମସ୍ତ ସ୍ଥାନରେ ପ୍ରଦର୍ଶିତ କରିଥାନ୍ତି ।’’
ସ୍ପିଟି ଉପତ୍ୟକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଲାଞ୍ଜା ଗ୍ରାମ, ସ୍ପିଟିର ବୌଦ୍ଧ ମୋନାଷ୍ଟ୍ରି ଏବଂ ସ୍ପିଟି ଓ ସତଲେଜ ନଦୀର ସଙ୍ଗମ ସ୍ଥଳିରେ ସେମାନେ ଏହି ଫଟୋ ପ୍ରଦର୍ଶନୀ କରି କୋରାପୁଟ ଅଞ୍ଚଳର ପ୍ରାକୃତିକ ବିଭବ ଓ ଜନଜୀବନ ପ୍ରତି ସେଠାକାର ସ୍ଥାନୀୟ ବ୍ୟକ୍ତିଙ୍କ ସମେତ ବାହାରର ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୋରାପୁଟ ଅଞ୍ଚଳ ସମ୍ପର୍କରେ ଏହି ବର୍ଣ୍ଣନା ପର୍ଯ୍ୟଟକଙ୍କ ମନରେ ଅନେକ ପ୍ରଶ୍ନ ଉତ୍ଥାପନ କରିଥିଲା ବୋଲି ପଣ୍ଡା ଜଣାଇଛନ୍ତି ।