କୋରାପୁଟ: ମାଓ ଅଧ୍ୟୁଷିତ ତଥା ମ୍ୟାଲେରିଆ ପ୍ରବଣ ଜିଲ୍ଲା ଭାବେ କୋରାପୁଟର ନାମ ରହି ଆସିଛି । ଏହି ମ୍ୟାଲେରିଆ ରୋଗ ଯୋଗୁଁ ଯେ କେତେ ଲୋକ ପ୍ରାଣ ହରାଇଛନ୍ତି ତାହାର ଠିକଣା ନାହିଁ । ଏହା ଜିଲ୍ଲା ପ୍ରଶାସନ ପାଇଁ ଏକପ୍ରକାର ମୁଣ୍ଡ ବିନ୍ଧାର କାରଣ ପାଲଟି ଯାଇଥିଲା । ତେବେ ଜିଲ୍ଲାକୁ ମ୍ୟାଲେରିଆ କବଳରୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡିଛନ୍ତି ଆଶା ଦିଦି ପଦ୍ମା ଦିଶାରୀ । ରାତିର ଚାଦରରେ ଜିଲ୍ଲା କବଳିତ ହେବା ମାତ୍ରେ ସଚେତନତାର ଘଣ୍ଟି ଧରି ଘରୁ ବାହାରି ଯାଆନ୍ତି ଏହି ଆଶା ଦିଦି ।
ନିକଟରେ ହୋଇଥିବା ଏକ ସରକାରୀ ଆକଳନରୁ ସ୍ପଷ୍ଟ ହୋଇଛି କି 2010 ମସିହାରେ ପ୍ରତି 100 ଜଣ ମ୍ୟାଲେରିଆ ପରୀକ୍ଷା କରିବାକୁ ଆସିଥିବା ରୋଗୀଙ୍କ ମଧ୍ୟରୁ 19.7 ଜଣ ମ୍ୟାଲେରିଆଯୁକ୍ତ ଥିବା ବେଳେ 2018 ଡିସେମ୍ବର ସୁଦ୍ଧା ତାହା କମି କମି 1.8 ରେ ପହଞ୍ଚିଥିଲା । ଯଦି ଏହି ହାରରେ ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ହାର କମିବାରେ ଲାଗେ ତେବେ ସେହି ଦିନ ବେଶୀ ଦୂର ନୁହେଁ ଯେବେ ମ୍ୟାଲେରିଆ କବଳରୁ ବଞ୍ଚିବାରେ ଜିଲ୍ଲା କେନ୍ଦ୍ରର ଚତୁର୍ଥ ସ୍ଥାନରେ ପହଞ୍ଚିବ ।
ଲେନ୍ଦିରୀ ମାଳିଗୁଡା ଗାଁରେ ମ୍ୟାଲେରିଆର ପ୍ରାଦୁର୍ଭାବ ବଢିବାରେ ଲାଗିଥିବା ବେଳେ ଏଠାରେ ଆଶାର କିରଣ ପାଲଟିଛନ୍ତି ଆଶା ଦିଦି ପଦ୍ମା ଦିଶାରୀ । ରାତିରେ ଘର ଘର ବୁଲି ମଶାରୀ ବ୍ୟବହାର କରିବା ସହ ଘର ବାହାରେ ଔଷଧ ସିଞ୍ଚନ କରି ମାରାତ୍ମକ ଏନଫେଲେସ ଫ୍ଲୁଭିଆଟିଲିସ ମଶାକୁ ଦୂରେଇବା ପାଇଁ ସଚେତନ କରାନ୍ତି ପଦ୍ମା । ତେବେ ମ୍ୟାଲେରିଆ କବଳରୁ ରକ୍ଷା ପାଇବାରେ ଗତ ଦୁଇବର୍ଷ ହେବ ଜିଲ୍ଲାରେ ଚାଲିଥିବା ଏପିଆଇ-10 କାର୍ଯ୍ୟକ୍ରମ ଦାୟୀ ବୋଲି ସୂଚନା ଦେଇଛନ୍ତି ରୋଗ ବାହକ ଗବେଷଣା କେନ୍ଦ୍ର ଭିସିଆରସିର ବରିଷ୍ଠ ବୈଜ୍ଞାନିକ ଏସ.ଏସ ସାହୁ ।