ଓଡିଶା

odisha

ETV Bharat / state

ଲୋଭ ଦେଖାଉଛି ପଡୋଶୀ, ଭୁଲି ଗଲା କି ଓଡିଶା ? - ମେଟାବିରାରେ ଆନ୍ଧ୍ର ଅନୁପ୍ରବେଶ

ଓଡିଶା ଓ ଆନ୍ଧ୍ର ସରକାରର ସୀମା ବିବାଦ । ଏହି ବିବାଦ ଭିତରେ ବନ୍ଧା କୋରାପୁଟର ମେଟାବିରା ସମେତ 10ଟି ପଞ୍ଚାୟତବାସୀ । ସ୍ଥିତି ଏପରି ଉପୁଜିଛି ଯେ, ଆନ୍ଧ୍ରର ଆପଣାପଣ ଆଗରେ ଓଡିଶା ମାଟିକୁ ପର କରିବାକୁ ବସିଲେଣି ଏଠାକାର ଲୋକେ ।

ଡିଜାଇନ ଫଟୋ

By

Published : Oct 18, 2019, 11:59 PM IST

କୋରାପୁଟ: ଓଡିଶା ରେ ନା' ର ଭିଡ ଭିତରେ ଆନ୍ଧ୍ର କହୁଛି ଆ' । ଗୋଟିଏ ପଟେ କୋରାପୁଟର ମେଟାବିରା ସମେତ 10ଟି ପଞ୍ଚାୟତକୁ ଲୋଭନୀୟ ଅଫର ଦେଖାଇ ନିଜ ଆଡକୁ ଆକର୍ଷତିକ କରୁଛି ଆନ୍ଧ୍ର । ଅନ୍ୟପଟେ ସାବତ ପୁଅ ଭଳି ଏହି ଅପହଞ୍ଚ ଇଲାକା ସବୁକୁ ଭୁଲିଗଲାଣି ଓଡିଶା । ଏପରି ସ୍ଥିତିରେ ଭବିଷ୍ୟତ କଥା ଭାବି ମାତୃଭୂମି ପ୍ରେମକୁ ଭୁଲି ଆନ୍ଧ୍ରାରେ ମିଶିବେ ବୋଲି ଚେତାବନୀ ଦେଇଛନ୍ତି ଏଠାକାର ବାସିନ୍ଦା ।

ଲୋଭ ଦେଖାଉଛି ପଡୋଶୀ, ଭୁଲି ଗଲା କି ଓଡିଶା ?

ସୀମାବର୍ତ୍ତୀ ଅଞ୍ଚଳକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ତୁଟିବାର ନାଁ ଧରୁନି । ଏପଟେ ବିବାଦ ଭିତରେ ଛନ୍ଦି ହୋଇ କୋଟିଆ ପରେ ଫସିଗଲାଣି କୋରାପୁଟର ବହୁ ଅଞ୍ଚଳ । ଏପଟେ ଅବହେଳା ଓ ଅଣଦେଖାରେ ସୁଯୋଗ ଉଠାଇ ଲୋକଙ୍କ ଦୁଃଖ ସୁଖରେ ଭାଗୀଦାର ହେବାକୁ ହାତ ବଢାଉଛି ଆନ୍ଧ୍ର । ସେପଟେ ବିକାଶର ପ୍ରତିଶ୍ରୁତିରେ ପୋତିଥିବା ଓଡିଶା ସରକାର ନୀରବ । ଏତେ ସବୁ ଭିତରେ ଅସ୍ମଞ୍ଜସରେ ସହ ସହ ଏହି ଇଲାକାର ଲୋକେ ।

ସମସ୍ତ ପ୍ରଲୋଭନକୁ ଏଡାଇଦେଇ ଲୋକେ ବାରମ୍ବାର ଓଡିଶା ସରକାର ଓ ତାକୁ ପ୍ରତିନିଧିତ୍ବ କରିଥିବା ଜିଲ୍ଲା ପ୍ରଶାସନ ପାଖରେ ନେହୁରା ହେଉଛନ୍ତି । କିନ୍ତୁ ଲୋକଙ୍କ ଆଶା ଭରସାକୁ ପ୍ରତାରଣା କରି ପ୍ରଶାସନ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନଥିବା ନେଇ ପଟ୍ଟାଙ୍ଗି ପଞ୍ଚାୟତ ସମିତିର ଅଧ୍ୟକ୍ଷ କ୍ଷୋଭ ପ୍ରକାଶ କରିଛନ୍ତି ।

ତେବେ କାହିଁକି ଏମାନେ ଏତେ ଅସନ୍ତୁଷ୍ଟ । କଣ ଏଠିକାର ପାହାଡ ଚଢି ପାରୁନି ରାଜ୍ୟ ସରକାରଙ୍କ ଯୋଜନା ? ଏ ନେଇ ଜାଣିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଇଟିଭି ଭାରତ । ମରଣଯନ୍ତା ହୋଇ ପ଼ଡିଛି ରାଲେଗାଡ଼ା ଦେଇ କୋରାପୁଟରୁ ବିଶାଖାପାଟଣା ଆଡକୁ ଯାଉଥିବା ଜାତୀୟ ରାଜପଥ ରାସ୍ତା । ନଦୀ ନାଳ ପାଣି ପାର କଲେ ପଡେ ମେଟାବିରା ଓ 10ଟି ପଞ୍ଚାୟତ । ଅଙ୍କା ବଙ୍କବଙ୍କା ପଥୁରିଆ ବାଟ । ନିତି ଜୀବନ ବାଜିରେ ଲାଗେ । ନଦୀ ନାଳ ପାଣି ପାର ହୋଇ ଲୋକେ କରନ୍ତି ବିପଦପୂର୍ଣ୍ଣ ଯାତ୍ରା । ଖାଲି ଏତିକି ନୁହଁ ଶିକ୍ଷା , ସ୍ବାସ୍ଥ୍ୟ ଭଳି ସମସ୍ତ ମୌଳିକ ସୁବିଧା ଏଠାରେ ଅପହଞ୍ଚ । ଆନ୍ଧ୍ର ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ୟା କଥା କହିଲେ କୋଟିଆର ୨୧ ଟି ଗ୍ରାମ କଥା ପ୍ରଶାସନ ଚିନ୍ତା କରୁଥିବା ବେଳେ ବର୍ତମାନ ଆଉ ୧୧ ଟି ଗାଁ ଏବେ ଦୃଷ୍ଟି ଆଢୁଆଳରେ ।
ଏପରି ସ୍ଥିତିରେ ଓଡିଶା ଛାଡିବାକୁ ମନ ବଳାଉଛନ୍ତି ଏମାନେ ।

ଓଡିଶା ସରକାରଙ୍କ ଅଣଦେଖା ଓ ଅବହେଳା ଯୋଗୁଁ ରାଜ୍ୟ ପ୍ରତି ଥିବା ପ୍ରେମ ମଳିନ ହୋଇପଡିଛି । ଏବେ କଣ ହେବ ଆଗାମୀ ପଦକ୍ଷେପ । ଓଡିଶା ସରକାର ଏହି ଅପହଞ୍ଚ ଇଲାକାର ସମାଧାନ କରିବେ, ନାଁ ମୁଉକାର ଫାଇଦା ଉଠାଇ ଲୁଚି ଲୁଚି ଆନ୍ଧ୍ର ଏହି ସବୁ ଅଞ୍ଚଳକୁ କବଜା କରିବାରେ ସଫଳ ହେବ .. ତାହା ସମୟ ସାପେକ୍ଷ


କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details