କୋରାପୁଟ:ଆଜି(ସୋମବାର) ଆନ୍ଧ୍ର ପ୍ରଦେଶ ମାନଚିତ୍ରରେ ଯୋଡି ହୋଇଛି ୧୩ଟି ଜିଲ୍ଲା । ପାର୍ବତିପୁରମ ଠାରେ ବିଜୟନଗରମ ଓ ଶ୍ରୀକାକୁଲମ ଜିଲ୍ଲାର ଆଦିବାସୀ ବହୁଳ କିଛି ଅଂଶକୁ ନେଇ ନୂତନ ଜିଲ୍ଲା ଗଠନ କରାଯାଇଛି । ଏହାକୁ ମାନ୍ୟମ୍ ଜିଲ୍ଲା ବୋଲି ନାମକରଣ କରାଯାଇଛି । ଏହି ଜିଲ୍ଲା ଗଠନ ହେବା ପରେ ଆନ୍ଧ୍ରର ଦୃଷ୍ଟି କୋଟିଆ ଉପରେ ପ୍ରଖର ହେବ ବୋଲି କହିଛନ୍ତି ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ।
ଆଦିବାସୀ ନାମକରଣ କରାଯାଇ ଆନ୍ଧ୍ର ସରକାର ଗଠନ କରିଥିବା ଏହି ଜିଲ୍ଲା ମଧ୍ୟରେ ସାଳୁର ଓ ପାଚିପେଣ୍ଟା ମଣ୍ଡଳମ ରହିଛି । ଓଡ଼ିଶାର କୋଟିଆ ଅଞ୍ଚଳ ଆନ୍ଧ୍ର ସରକାର ସାଳୁର୍ ମଣ୍ଡଳମରେ ସ୍ଥାନ ଦେଇଥିବା ବେଳେ ପାଚିପେଣ୍ଟା ଓଡ଼ିଶାର ମାନଚିତ୍ରରେ ଥାଇ ଉଭାନ ହୋଇ ଆନ୍ଧ୍ର ସରକାର ଅଧୀନକୁ ଚାଲିଯିବା ବିଷୟକୁ ନେଇ ଅନେକ ଦିନ ହେବ ଓଡ଼ିଶାର ବୁଦ୍ଧିଜୀବୀଙ୍କ ଆନ୍ଦୋଳନ ଜାରି ରହିଛି । ଏପରି ସ୍ଥିତିରେ ଆଜି ମାନ୍ୟମ୍ ଜିଲ୍ଲା ଗଠନକୁ ନେଇ ଓଡ଼ିଶା ସଜାଗ ହେବାର ଆବଶ୍ୟକତା ବୃଦ୍ଧି ପାଇଛି ବୋଲି ଆମ କୋଟିଆ ସଂଗଠନର ଆବାହକ ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ମତବ୍ୟକ୍ତ ରଖିଛନ୍ତି ।