କୋରାପୁଟ: ବିବାଦୀୟ କୋଟିଆକୁ ନେଇ ଲାଗି ରହିଛି ହଟ୍ଟଚମଟ । ଏହି ସୀମା ବିବାଦକୁ ନେଇ ବୁଧବାର କୋରାପୁଟରେ ସର୍ବଦଳୀୟ ବୈଠକ ବସିଛି । ଗୋଟିଏ ଦିନ ପୂର୍ବରୁ ବସିଥିବା ଆନ୍ଧ୍ର ଓ ଓଡିଶାର ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକକୁ ସର୍ବଦଳୀୟ ବୈଠକରେ ସ୍ବାଗତ କରାଯାଇଛି । ଏଥିସହ ପ୍ରସ୍ତାବିତ ଉଚ୍ଚସ୍ତରୀୟ କମିଟିକୁ ସର୍ବଦଳୀୟ କମିଟି ସହଯୋଗ କରିବେ ବୋଲି କହିଛନ୍ତି ।
କୋଟିଆ ମାଟିର ସୁରକ୍ଷା ପାଇଁ ଲଢେଇ ଜାରି ରହିବ ଓ କୋଟିଆରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି ସବୁ ଦଳର ବରିଷ୍ଠ ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହ ସୀମା ସମସ୍ୟାର ସମାଧାନ ନେଇ ରାଜ୍ୟ ସରକାର କେବେ ଉଚ୍ଚସ୍ତରୀୟ କମିଟି ଗଠନ କରିବେ ଓ ସେହି କମିଟିରେ କେଉଁମାନେ ସଦସ୍ୟ ରହିବେ ତୁରନ୍ତ ସରକାର ଘୋଷଣା କରନ୍ତୁ ବୋଲି ସର୍ବଦଳୀୟ କମିଟି ଦାବି କରିଛି । ତୃଣମୂଳ ସ୍ତରରେ କ'ଣ ସମସ୍ୟା ରହିଛି କୋରାପୁଟର ଲୋକେ ଭଲ ଭାବରେ ଅବଗତ ଥିବା ଯୋଗୁଁ ଉଚ୍ଚସ୍ତରୀୟ କମିଟି ପ୍ରଥମେ କୋରାପୁଟ ଜିଲ୍ଲାର ସର୍ବଦଳୀୟ ନେତାଙ୍କ ସହ ଆଲୋଚନା କରନ୍ତୁ ଏବଂ ଆନ୍ଧ୍ର ସହ ଆଲୋଚନା କରିବାବେଳେ ଜିଲ୍ଲାର ସର୍ବଦଳୀୟ କମିଟିକୁ ସାମିଲ କରିବାକୁ ଦାବି ହୋଇଛି ।