କୋରାପୁଟ:ଗତକାଲି କୋରାପୁଟ ଗସ୍ତରେ ଆସିଥିଲେ ଓଡ଼ିଶା ରାଜ୍ୟ ସରକାରଙ୍କ କୃଷି ସଚିବ ଅରବିନ୍ଦ ପାଢୀ । ଏହି ଅବସରରେ 10 ହଜାର ଏକରରେ ଖରିଫ ଆଳୁ ଚାଷ କରାଯିବା ନେଇ ସୂଚନା ଦେଇଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ରବି ଋତୁରେ ଆଳୁ ଚାଷ ହୋଇଥାଏ । କିନ୍ତୁ କୋରାପୁଟ ଜିଲ୍ଲାରେ କୃଷି ଉପଯୋଗୀ ଜଳବାୟୁ ଯୋଗୁଁ ଚାଷୀ ଖରିଫ ଋତୁରେ ମଧ୍ୟ ଆଳୁ ଚାଷ କରୁଥିବା ଦେଖିବାକୁ ମିଳିଛି । ଗତ କିଛି ବର୍ଷ ଧରି ଖରିଫ ଆଳୁ ଚାଷ କରି ଏହି ଅଞ୍ଚଳର ଅନେକ ଚାଷୀ ଲାଭବାନ ହୋଇଛନ୍ତି । ଏନେଇ ଆଳୁ ଉତ୍ପାଦନ ଦିଗରେ ରାଜ୍ୟକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଥିବା ପ୍ରୟାସର ଧାରା ଭାବେ ଚଳିତ ବର୍ଷ ବିଭିନ୍ନ ବ୍ଲକରେ 10 ହଜାର ଏକରରେ ଖରିଫ ଆଳୁ ଚାଷ କରାଯିବ ।
କୋରାପୁଟର ୪ଟି କିସମର ସ୍ଥାନୀୟ ମାଣ୍ଡିଆକୁ ରାଜ୍ୟ ସରକାର ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିବାକୁ ଯାଉଥିବା ବେଳେ କିଛି ସ୍ବତନ୍ତ୍ର କିସମର ସ୍ଥାନୀୟ ଧାନକୁ ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏନେଇ ଏହାର ବ୍ୟାପକ ଚାଷ କରିବା ଦିଗରେ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ ବୋଲି ଡ ପାଢୀ ଜଣାଇଛନ୍ତି । ଏଥିସହ କୋରାପୁଟ ଜିଲ୍ଲାର ଅଦା ଓ ବିଭିନ୍ନ ପନିପରିବା ଉତ୍ପାଦନରେ ଅଧିକ ଲାଭ ଚାଷୀଙ୍କୁ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ନନ୍ଦପୁର, ସେମିଳିଗୁଡା, ପଟ୍ଟାଙ୍ଗୀ ଓ ଲମତାପୂତ ବ୍ଲକରେ ଅଦାର ବିଭିନ୍ନ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଜିନିଷ ପ୍ରସ୍ତୁତ କରି ବଜାରରେ ଉପଲବ୍ଧ କରାଯିବାର ଯୋଜନା ଥିବା ସେ କହିଛନ୍ତି।