କୋରାପୁଟ: ଶବର ଜନଜାତିଙ୍କ ସହ ମହାପ୍ରଭୁ ଜଗନ୍ନାଥଙ୍କ ଏକ ଅତୁଟ ସମ୍ପର୍କ । କୁହାଯାଏ ଯେ ପ୍ରଭୁ ଜଗନ୍ନାଥଙ୍କୁ ନୀଳମାଧବ ରୂପେ ପୂଜା କରୁଥିଲେ ବିଶ୍ବାବସୁ ନାମକ ଶବର । ତେବେ ସ୍ନାନ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଶାବର ଶ୍ରୀକ୍ଷେତ୍ରରେ ମଧ୍ୟ ଅନୁଷ୍ଠିତ ହୋଇଛି ସ୍ନାନ ପୂର୍ଣ୍ଣିମା । ଜିଲ୍ଲାର କୋଣଅନୁକୋଣରୁ ଶାବର ଶ୍ରୀକ୍ଷେତ୍ରକୁ ଛୁଟି ଥିଲା ଭକ୍ତଙ୍କ ସୁଅ । ଏହାପରେ ଭକ୍ତଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶବର ଜନଜାତିର ଦେବତା ମାତା ରବ୍ନମଙ୍କ ମନ୍ଦିର ନିକଟ କୂଅରୁ ଆସିଥିବା ଶ୍ରଦ୍ଧାର ଜଳରେ ସ୍ନାନ କରିଥିଲେ ଶ୍ରୀଜୀଉ ।
ସ୍ନାନବିଧି ପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରା ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି । ଶାବର ଶ୍ରୀକ୍ଷେତ୍ରରେ ହେଉଥିବା ପ୍ରତିଟି ଉତ୍ସବ ବିଶେଷ ମହତ୍ଵ ରଖିଥାଏ । ସେ ରଥଯାତ୍ରା ହେଉ ବା ଦେବସ୍ନାନ ପୂର୍ଣ୍ଣିମା, ଆପଣା ଛାଏଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଦିବାସୀ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ତିନି ଠାକୁରଙ୍କ ଦର୍ଶନ ପାଇଁ ଛୁଟି ଆସନ୍ତି । ଆଦିବାସୀ ଭକ୍ତଙ୍କ ସଂକୀର୍ତ୍ତନ ମଣ୍ଡଳୀ ସହିତ ଯୁବ ପିଢ଼ି ତିନି ଠାକୁରଙ୍କ ପହଣ୍ଡି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସୋମବାର ରାତିରେ ତିନିଠାକୁର ଅଣସର ବେଦୀକୁ ଯିବା ପରେ ଆସନ୍ତା ୧୫ ଦିନ ଧରି ଆଦିବାସୀ ସେବକ ମାନେ ଅସୁସ୍ଥ ହୋଇପଡିଥିବା ତିନିଠାକୁରଙ୍କ ସେବା କରିବାର ସୁଯୋଗ ପାଇବେ ।