କୋରାପୁଟ: ଆଜି କୋରାପୁଟରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟର କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରେର ମନ୍ତ୍ରୀ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବଖାଣିଛନ୍ତି । ମୂଲ୍ୟବାନ ଖଣିଜ ସମ୍ପଦରେ ଭରପୂର କୋରାପୁଟ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ, ଗମନାଗମନ, ଭିତ୍ତିଭୂମି, କ୍ରୀଡା, ପର୍ଯ୍ୟଟନ, କଳା ଓ ସଂସ୍କୃତି କ୍ଷେତ୍ରରେ ବିକାଶ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି ।
କୋରାପୁଟ ଜିଲ୍ଲାର ପବିତ୍ରଭୂମିରେ ବୀର ସହିଦ ଲକ୍ଷ୍ମଣ ନାୟକ, କୋରାପୁଟ ଗାନ୍ଧୀ ରାଧାକୃଷ୍ଣ ବିସ୍ବାଶରାୟ, ମହମ୍ମଦ ବାଜୀ, ସଦାଶିବ ତ୍ରିପାଠୀଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ନେତୃତ୍ବରେ ଆଦିବାସୀମାନେ ଅସହଯୋଗ ଆନ୍ଦୋଳନ, ଭାରତଛାଡ଼ ଆନ୍ଦୋଳନ ବହୁସଂଖ୍ୟାରେ ଯୋଗ ଦେଇଥିଲେ । ଏହି ସ୍ବାଧୀନତା ସଂଗ୍ରାମୀଙ୍କୁ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ''ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ଅଭୂତପୂର୍ବ ଅଗ୍ରଗତି ହାସଲ କରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଜିଲ୍ଲାରେ କ୍ରୀଡା କ୍ଷେତ୍ରରେ ଉନ୍ନତି ସାଧନ ନିମନ୍ତେ ଜୟପୁରର ଫୁଲବେଡା ଠାରେ 32 କୋଟି ଟଙ୍କା ବ୍ୟୟରେ ସମନ୍ବିତ କ୍ରୀଡା କମ୍ପ୍ଲେକ୍ସ, କୋରାପୁଟ ଠାରେ 3.54 କୋଟି ଟଙ୍କା ବ୍ୟୟରେ କ୍ରୀଡା କମ୍ପ୍ଲେକ୍ସ, ସୁନାବେଡା ଠାରେ 5 କୋଟି ଏବଂ କୋଟପାଡରେ 6 କୋଟି ଟଙ୍କା ବ୍ୟୟରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟ ଜାରି ରହିଛି ।''
ସେହିପରି ଜିଲ୍ଲାର 14ଟି ବ୍ଲକ ଏବଂ 4ଟି ପୌରାଞ୍ଚଳରେ ମିନି ଷ୍ଟେଡିୟମ କାର୍ଯ୍ୟ ଶେଷ ହୋଇଛି । ମିଶନ ଶକ୍ତି ମାଧ୍ୟମରେ ଜିଲ୍ଲାରେ ବର୍ତମାନ ସୁଦ୍ଧା 21,546ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ 2 ଲକ୍ଷ 32 ହଜାରରୁ ଅଧିକ ମହିଳାଙ୍କୁ ବିକାଶ ଧାରାରେ ସାମିଲ କରାଯାଇଥିବା ମନ୍ତ୍ରୀ ଜଣାଇଛନ୍ତି । ଆହୁରିମଧ୍ୟ, ବ୍ଲକସ୍ତରରେ 50 ଲକ୍ଷ ଟଙ୍କା ଓ ଜିଲ୍ଲାସ୍ତରରେ 1 କୋଟି ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି । ମୋ ପୋଖରୀ ଯୋଜନାରେ ଜିଲ୍ଲାରେ ଅଦ୍ୟାବଧି 2570ଟି ପୋଖରୀ ଖନନ କରାଯାଇଛି ଏବଂ ତନ୍ମଧ୍ୟରୁ 1200ଟି ପୋଖରୀରେ ସମନ୍ବିତ କୃଷି ପ୍ରଣାଳୀ ମାଧ୍ୟମରେ ବତକ ଚାଷ ଓ ମାଛ ଚାଷ କରାଯାଉଛି ।