ଓଡିଶା

odisha

ETV Bharat / state

ବଜ୍ରାଘାତ ପରେ ଆସିଲାନି ଆମ୍ବୁଲାନ୍ସ, ଡାକ୍ତରଖାନା ଯିବା ରାସ୍ତାରେ ଜଣଙ୍କ ମୃତ୍ୟୁ

କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ବିଜୁଳି ମାରିଛି । କୁନ୍ଦୁରା ବ୍ଲକରେ ବଜ୍ରାଘାତରେ 2 ଜଣଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : May 14, 2019, 9:10 PM IST

କୋରାପୁଟ: କାଳବୈଶାଖୀ ହେଲା କାଳ । ଗତ ରବିବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । କୁନ୍ଦୁରା ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବଜ୍ରପାତରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତରଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଯୋଗୁଁ ଅଧାରାସ୍ତାରେ ତାର ମୃତ୍ୟୁ ଘଟିଛି । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ତେଜନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୂଚନା ଅନୁସାରେ କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଲକ ଅନ୍ତର୍ଗତ ନାରାଗାଁର ତିନି ଜଣ ଓ ଆସନା ପଞ୍ଚାୟତ ଅନ୍ତର୍ଗତ କାଉଡ଼ିଆଗୁଡ଼ା ଗାଁରେ ବଜ୍ରାଘାତରେ ଜଣେ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଅନ୍ୟ ଦୁଇଜଣଙ୍କୁ ଗ୍ରାମବାସୀ ପ୍ରଥମେ କୁନ୍ଦୁରା ଓ ପରେ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ସେମାନେ ସେଠାରେ ଚିକିତ୍ସିତ ହେଉଛନ୍ତି ।

ସେପଟେ କାଉଡ଼ିଆଗୁଡ଼ାରେ ଆହତ ହୋଇଥିବା ବ୍ୟକ୍ତିକୁ ଡାକ୍ତରଖାନା ନେବା ଲାଗି ଆମ୍ବୁଲାନ୍ସ ଡକାଯାଇଥିଲା । କିନ୍ତୁ ଠିକ ସମୟରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଉକ୍ତ ବ୍ୟକ୍ତିକୁ ମୋଟର ସାଇକେଲ ଯୋଗେ କୁନ୍ଦୁରା ଆଣିଥିଲେ ଗ୍ରାମବାସୀ । କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା ।

ଏହି ଘଟଣାକୁ ନେଇ ଗତକାଲିଠାରୁ କୁନ୍ଦୁରା ଡାକ୍ତରଖାନାରେ ଉତ୍ତେଜନା ଦେଖାଯାଇଥିଲା । ଆଜି ଜୟପୁର ବିଧାନସଭା ଆସନ ପାଇଁ ବିଜେପିର ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ଟିମ ଯାଇ ଡାକ୍ତର ଓ ଲୋକଙ୍କ ସହ ଆଲୋଚନା କରିବା ପରେ ଉତ୍ତେଜନା ହ୍ରାସ ପାଇଥିଲା । ତେବେ କୁନ୍ଦୁରା ଭଳି ପ୍ରତି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡି ଯୋଗାଇଦେବା ପାଇଁ ଦାବି ଜୋର ଧରିଥିବା ଟିମର ସଦସ୍ୟ ସୁମିତ କୁମାର ସାହୁ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details