କୋରାପୁଟ : ଲୋକେ ଶ୍ମଶାନକୁ କେବଳ ସ୍ୱର୍ଗକୁ ଯିବାର ମାର୍ଗ ବୋଲି କହୁଥିବାବେଳେ 2 ବନ୍ଧୁଙ୍କ ପାଇଁ ଏହି ଶ୍ମଶାନ ପାଲଟିଛି ସ୍ବର୍ଗ । ଏଭଳି ନିଆରା ଦୃଶ୍ୟ କୋରାପୁଟର ଏକ ଶ୍ମଶାନରେ ଦେଖିବାକୁ ମିଳିଛି । ଦୁଇ ବନ୍ଧୁ ଶ୍ମଶାନର ପରିତ୍ୟକ୍ତ ହୋଇ ପଡିରହିଥିବା କବାଟ ବିହୀନ ପ୍ରବେଶ ଦ୍ୱାରରେ ରହିଥାନ୍ତି । ଜଣେ ମୁମ୍ବାଇରୁ ଆସିଥିବା କହୁଥିବାବେଳେ ଆରଜଣକ କାମ ଖୋଜି ଖୋଜି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମ୍ମା ପଞ୍ଚାୟତର ଗୌଡ଼ଗୁଡା ଗ୍ରାମରୁ କୋରାପୁଟରେ ଆସି ପହଞ୍ଚିଥିବା କୁହନ୍ତି । ଗିର୍ଲିଗୁମ୍ମାରୁ ଆସିଥିବା ବ୍ୟକ୍ତି ଜଣକ ହେଲେ ପ୍ରେମ ସୁନା ।
ଆଗରୁ ଉଭୟ ଉଭୟଙ୍କୁ ଜାଣିନଥିଲେ । କିନ୍ତୁ ବର୍ଷେ ପୂର୍ବେ ପ୍ରେମ ସୁନା କୋରାପୁଟରେ କାମ କିଛି ନ ପାଇ କେଉଁଠି ରହିବ ବୋଲି ଚିନ୍ତା କରୁଥିବାବେଳେ ଶ୍ମଶାନର ପ୍ରବେଶ ଦ୍ୱାରରେ ଜଣେ ରହୁଥିବା ଦେଖିପାରିଥିଲେ । ପ୍ରବେଶ ଦ୍ୱାରରେ ଦୁଇଟି ସିମେଣ୍ଟ ବେଞ୍ଚରୁ ଗୋଟାକରେ ଅଜଣା ବ୍ୟକ୍ତି ରହୁଥିବାବେଳେ ଆର ବେଞ୍ଚଟିକୁ ନୀରବରେ ଅକ୍ତିଆର କରିନେଇଥିଲେ ପ୍ରେମ ସୁନା । ପରେ ମରାଠୀରେ କଥା ହେଉଥିବା ଅପରଚିତ ବ୍ୟକ୍ତି ଜଣେ ମାନସିକ ରୋଗୀ ବୋଲି ଜାଣିବା ପରେ ବି ରହିବାର ଆବଶ୍ୟକତାକୁ ଦେଖି ପ୍ରେମ ସୁନା ସେହି ବ୍ୟକ୍ତି ସହ ରହିବାକୁ ଆରମ୍ଭ କଲେ।