ଖୋର୍ଦ୍ଧା:ଜିଲ୍ଲା ବଡ଼ସିରେଇପୁର ଗ୍ରାମ ସନ୍ତୋଷ ମହାରାଣା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ । ଏନେଇ ଶନିବାର ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ । ଏସଡ଼ିପିଓଙ୍କ ସୂଚନା ମୁତାବକ ଏକତରଫା ପ୍ରେମ ଲାଗି ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାରେ ସମୁଦାୟ ୬ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବାବେଳେ ଅନ୍ୟ ୩ ଜଣ ପ୍ରାପ୍ତ ବୟସ୍କ ଅଛନ୍ତି ।
ହତ୍ୟାକାଣ୍ଡ ଘଟାଇଥିବା ମୁଖ୍ୟ ନାବାଳକ ଏବଂ ମୃତକ ସନ୍ତୋଷ ମହାରଣା ଉଭୟେ ଗୋଟିଏ ଝିଅକୁ ଏକତରଫା ପ୍ରେମ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଏକାଧିକ ଥର ଝଗଡା ମଧ୍ୟ ହୋଇଥିଲା । ତେବେ ଯେହେତୁ ସନ୍ତୋଷ ମୁଖ୍ୟ ଅଭିଯୁକ୍ତ ନାବାଳକଙ୍କ ଠାରୁ ବୟସରେ ବଡ଼ ଥିଲେ ତେଣୁ ତାଙ୍କୁ ପ୍ରତିବାଦ କରିବାର ସାହସ ନାବାଳକର ନ ଥିଲା । ତେଣୁ ଏ କ୍ଷେତ୍ରରେ ମୁଖ୍ୟ ନାବାଳକଙ୍କୁ ଭଗବାନ ଦାସ, ଧୀରେନ୍ଦ୍ର ସ୍ୱାଇଁ, ବିଚିତ୍ର ସାମଲ ନାମକ ତିନି ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତିମାନେ ସନ୍ତୋଷଙ୍କୁ ହତ୍ୟା କରିବା ପାଇଁ ଉସକାଇବା ସହ ଦରକାର ପଡିଲେ ଏଥିପାଇଁ ତାଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।