ଓଡିଶା

odisha

ETV Bharat / state

ଭାରତୀୟ ହକିର ସମୃଦ୍ଧଶାଳୀ ଯାତ୍ରାରେ ରହିଛି ଅନେକ ବିଜୟ ଓ କାଳଜୟୀ କାହାଣୀ: ଅନୁରାଗ ଠାକୁର - କଟକରେ ଏଫଆଇଏଚ ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନା ନେଇ ରାଜ୍ୟମାନେ ମଧ୍ୟ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ କ୍ରୀଡ଼ାପ୍ରେମୀ ହୋଇଥିବା ବେଳେ ତାଙ୍କ ନେତୃତ୍ବରେ ଭାରତ ସରକାର ଜାତୀୟ ହକି ଦଳକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି । ଅଧିକ ପଢନ୍ତୁ

ଅନୁରାଗ ଠାକୁର
ଅନୁରାଗ ଠାକୁର

By

Published : Jan 11, 2023, 11:07 PM IST

ଭୁବନେଶ୍ବର: ଭାରତୀୟ ହକିର ସମୃଦ୍ଧଶାଳୀ ଯାତ୍ରାରେ ଅନେକ ବିଜୟ ଓ କାଳଜୟୀ କାହାଣୀ ପୂରି ରହିଛି । ଦେଶରେ କ୍ରୀଡ଼ା ଓ ଖେଳର ପ୍ରୋତ୍ସାହନ ଲାଗି ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର । କଟକରେ ଏଫଆଇଏଚ ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହରେ ଯୋଗଦେଇ ସେ ଏହା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନା ନେଇ ରାଜ୍ୟମାନେ ମଧ୍ୟ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ କ୍ରୀଡ଼ାପ୍ରେମୀ ହୋଇଥିବା ବେଳେ ତାଙ୍କ ନେତୃତ୍ବରେ ଭାରତ ସରକାର ଜାତୀୟ ହକି ଦଳକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି । କୋଭିଡ ମହାମାରୀ ଭଳି କଷ୍ଟକର ସମୟରେ ହକି ଦଳକୁ ପ୍ରୋତ୍ସାହନ ଦିଆଯିବା ଫଳରେ ଭାରତୀୟ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ସମ୍ମାନଜନକ ବ୍ରୋଞ୍ଜ ପଦକ ଜିତିଥିଲା ।

କେନ୍ଦ୍ରମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ହକି ଖେଳରେ ଭାରତର ଏକ ସମୃଦ୍ଧ ଇତିହାସ ରହିଛି । ସ୍ବାଧୀନତା ପୂର୍ବରୁ କିମ୍ବଦନ୍ତୀ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ବରେ ଏବଂ ସ୍ବାଧୀନତା ପରେ ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ନେତୃତ୍ବରେ ଭାରତୀୟ ଦଳ ତିନି ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିଲା । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ହକି ବିଶ୍ବକପର ଭବ୍ୟ ଉଦଘାଟନୀ ସମାରୋହକୁ ପ୍ରଶଂସା କରିଛନ୍ତି । ଭାରତରେ ଲଗାତାର ଦୁଇ ଥର ଏଫଆଇଏଚ ପୁରୁଷ ହକି ବିଶ୍ବକପ ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ ଏଫଆଇଏଚ ସଭାପତି ତୟବ ଇକ୍ରାମଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଦେଶକୁ ଏକ ସୁନ୍ଦର ହକି ଷ୍ଟାଡିୟମ ଭେଟି ଦେଇଥିବାରୁ ସେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନୀ ସମାରୋହ ଅବସରରେ ଅତିଥିମାନଙ୍କୁ ସ୍ବାଗତ ଜଣାଇଛନ୍ତି । ହକି ବିଶ୍ବକପ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଏଫଆଇଏଚ ସଭାପତି ତୟବ ଇକ୍ରାମ, ହକି ଇଣ୍ଡିଆ ସଭାପତି ଦିଲିପ ତିର୍କୀ, ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ଭାରତୀୟ ଦଳ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ଦଳର ଖେଳାଳୀମାନେ ଉପସ୍ଥିତ ଥିଲେ । ଏଥିପୂର୍ବରୁ ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ଏବଂ ଭୁବନେଶ୍ବରସ୍ଥିତ ନେସନାଲ ଏକାଡେମୀ ଫର ବ୍ରଡକାଷ୍ଟିଂ ଏଣ୍ଡ ମଲ୍ଟିମିଡିଆ ପରିଦର୍ଶନ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହିତ ସେ ଏହି ଦୁଇ ସଂସ୍ଥାର କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି । ଦୂରଦର୍ଶନର ଦର୍ଶକ ସଂଖ୍ୟା ବଢ଼ାଇବା ପାଇଁ କାର୍ଯ୍ୟକ୍ରମର ମାନରେ ସୁଧାର ଆଣିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ଏହାଦ୍ବାରା ଦୂରଦର୍ଶନର ବଜାର ଅଂଶଧନ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ଉଭୟ ଦୂରଦର୍ଶନ ଏବଂ ନେସନାଲ ଏକାଡେମୀ ଫର ବ୍ରଡକାଷ୍ଟିଂ ଏଣ୍ଡ ମଲ୍ଟିମିଡିଆ ପରିସରରେ କେନ୍ଦ୍ରମନ୍ତ୍ରୀ ବୃକ୍ଷରୋପଣ କରିଛନ୍ତି । ସନ୍ଧ୍ୟାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କଟକ ଆକାଶବାଣୀ ମଧ୍ୟ ପରିଦର୍ଶନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details