ଭୁବନେଶ୍ବର: ରାଜନୀତି କ୍ଷେତ୍ରରେ ବଢିବାରେ ଲାଗିଛି ମହିଳାଙ୍କ ପ୍ରତିନିଧିତ୍ବ ସଂଖ୍ୟା । ଏହାର ତାଳ ଦେଇ ଓଡିଶା ବିଧାନସଭାରେ ବଢୁଛି ବିଧାୟିକାଙ୍କ ସଂଖ୍ୟା । ନଗଦ ଦୀପାଳି ଦାସ ବିଧାୟିକା ଭାବେ ନିର୍ବାଚିତ ହେବା ପରେ ଏହି ସଂଖ୍ୟା 19 ଛୁଇଁଛି । ସେପଟେ କେନ୍ଦ୍ର ସରକାର 50 ପ୍ରତିଶତ ସଂରକ୍ଷଣ ଆଇନକୁ ପାସ କରିବା ଲାଗି ଦାବି କରିଛି ବିଜେଡି ।
ଦିନ ଥିଲା ଅବଳା ଦୁର୍ବଳା ଅଖ୍ୟା ଦେଇ ମହିଳାଙ୍କୁ ଉପେକ୍ଷିତ କରାଯାଉଥିଲା । ଏବେ ସମୟ ବଦଳିଛି । ଦୁର୍ବଳା ଏବେ ସବଳା ହେଉଛନ୍ତି । ନିଜର ହକ ପାଇଁ ଲଢୁଛନ୍ତି ଓ ଜିତିଛନ୍ତି ମଧ୍ୟ । ରାଜନୀତିରେ ବଢୁଥିବା ମହିଳା ପ୍ରତିନିଧିତ୍ବ ସଂଖ୍ୟା ଏହାର ଜ୍ବଳନ୍ତ ଉଦାହରଣ । ନିଜର ହକ ହାସଲ ଲାଗି ପୁରୁଷ ପ୍ରାଧାନ୍ୟ ରାଜନୀତିରେ ବଢିବାରେ ଲାଗିଛି ମହିଳାଙ୍କ ଭୂମିକା । ଭୋଟ ବ୍ୟାଙ୍କ ରାଜନୀତିରେ ମଧ୍ୟ ପୁରୁଷଙ୍କୁ ପଛରେ ପକାଇ ବିଜୟୀ ହେଉଛନ୍ତି ମହିଳା । ରାଜ୍ୟ ବିଧାନସଭାରେ ବିଧାୟିକାଙ୍କ ସଂଖ୍ୟା 19 ରେ ପହଞ୍ଚିଛି । ସେଥିରୁ ବିଜେଡିର ବିଧାୟିକାଙ୍କ ସଂଖ୍ୟା ଦୀପାଳି ଦାସଙ୍କୁ ମିଶାଇ 18 ହୋଇଥିବାବେଳେ ବିଜେପିରୁ ଜଣେ ବିଧାୟିକା ଅଛନ୍ତି । ରାଜ୍ୟ ବିଧାନସଭାର ଆସନ ସଂଖ୍ୟା 147 ହୋଇଥିବା ବେଳେ ମହିଳା ପ୍ରତିନିଧିତ୍ବ ବର୍ତ୍ତମାନ ପ୍ରାୟ 28 ପ୍ରତିଶତ ରହିଛି ।
ଏହାବି ପଢନ୍ତୁ- ପାଖଉଛି ଘୋଷଯାତ୍ରା, ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ବୁଣାରେ ବ୍ୟସ୍ତ ରାଉତପଡ଼ା ବୁଣାକାର
ରାଜ୍ୟରେ ହୋଇଥିବା ବିଜେପୁର, ପାଟକୁରା, ବ୍ରଜରାଜନଗର, ପଦ୍ମପୁର ଉପ ନିର୍ବାଚନରେ ମହିଳା ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ବିଜେପୁରରୁ ରୀତା ସାହୁ ବିଜୟୀ ହୋଇ ମନ୍ତ୍ରୀ ହୋଇଛନ୍ତି । ସେହିପରି ପାଟକୁରାରୁ ସାବିତ୍ରୀ ଅଗ୍ରୱାଲ, ପଦ୍ମପୁରରୁ ବର୍ଷା ସିଂ ବରୀହା, ବ୍ରଜରାଜନଗରରୁ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି । ଅନ୍ୟପଟେ ଝାରସୁଗୁଡ଼ାରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି ଦୀପାଳି ଦାସ । ଦୀପାଳି ଏବେ ମନ୍ତ୍ରୀ ହେବା ରେସରେ ରହିଛନ୍ତି । ଅନ୍ୟପଟେ ଧାମନଗରରୁ ଅବନ୍ତି ଦାସ, ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି ।