ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମୀକ୍ଷା ବୈଠକ ପରେ ମହିଳା ଓ ଶିଶୁ ବିକାଶ ବିଭାଗର ରିପୋର୍ଟ କାର୍ଡ ପ୍ରଦାନ କଲେ ବିଭାଗୀୟ ସଚିବ ଶୋଭା ଶର୍ମା । ସମୀକ୍ଷା ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ କହିଛନ୍ତି, ଅନଙ୍ଗବାଡ଼ି ପାଇଁ ନୂଆ ପଦବୀ ସୃଷ୍ଟି କରାଯାଇଛି । ରାଜ୍ୟର ୨ ହଜାର ୮୩୬ଟି ମିନି ଅନଙ୍ଗବାଡ଼ି ସେଣ୍ଟରକୁ ମୁଖ୍ୟ ଅନଙ୍ଗବାଡ଼ି ସେଣ୍ଟରରେ ପରିଣତ କରାଯାଇଛି । ଏହି ଅଙ୍ଗନବାଡ଼ି କ୍ଷେତ୍ରରେ ଜଣେ କର୍ମୀ ସହ ଜଣେ ସହାୟକଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।
ସେହିପରି ୨ ହଜାର ୮୩୬ଟି ଅଙ୍ଗନବାଡ଼ି ସେଣ୍ଟରରେ ୧୧୪ ଜଣ ମହିଳା ସୁପରଭାଇଜର ନିଯୁକ୍ତି ଦିଆଯିବ । ଏହାସହ ଅଙ୍ଗନବାଡ଼ିରେ ମୋ ବଗିଚା, ମୋ ରୋଷେଇ ଘର ପିଲାଙ୍କୁ ଭିଟାମିନ ଖାଦ୍ୟ ଯୋଗାଇ ଦିଆଯାଉଛି । ଅଙ୍ଗନବାଡି ସେବା ଯୋଜନାରେ ୧୦୮ଟି ନୂଆ ପଦବୀ ମଞ୍ଜୁର ହୋଇଛି । CDPOଙ୍କ ସ୍ତରରେ ୯୩ଟି ପଦବୀକୁ ପ୍ରୋଗ୍ରାମ ଅଫିସର ଭାବେ ନିଯୁକ୍ତି ଦିଆଯିବ । ସେହିପରି ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ମମତା ଓ ଆର୍ଶୀବାଦ ଯୋଜନା ବେଶ ସଫଳ ହୋଇଥିବା ବିଭାଗ କହିଛି । ମମତା ଯୋଜନାରେ ୫୬.୮୨ ଲକ୍ଷରୁ ଅଧିକ ଗର୍ଭବତୀ ଓ ପ୍ରସୁତି ମାନେ ଉପକୃତ ହୋଇଛନ୍ତି । 5T ମାଧ୍ୟମରେ ଆଗକୁ ମମତା ଯୋଜନାରେ ମହିଳାମାନଙ୍କୁ ସହଜରେ ସୁବିଧା ଯୋଗାଇ ଦେବାପାଇଁ ଇ-ମମତା 2.0 ଏକ ମୋବାଇଲ ଆପ୍ ଆରମ୍ଭ କରାଯାଇଛି ।