ଭୁବନେଶ୍ୱର:ବିଲଡର ଅଫିସରେ ରିସେପସନିଷ୍ଟଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବରମୁଣ୍ଡାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ରିସେପସନିଷ୍ଟ ଜଣଙ୍କ ଆକ୍ରମଣରେ ଗୁରୁତର ହୋଇଥିବାବେଳେ ଆକ୍ରମଣକାରୀକୁ ଏକ ଆପାର୍ଟମେଣ୍ଟରୁ ଠାବ କରାଯାଇଛି । ଆକ୍ରମଣକାରୀଜଣକ ଅନ୍ୟ କେହି ନୁହେଁ, ବରଂ ସମ୍ପୃକ୍ତ ରିସେପସନିଷ୍ଟଙ୍କ ସ୍ବାମୀ ହୋଇଥିବା ଜଣାପଡିଛି । ଆକ୍ରମଣର ଶିକାର ହୋଇଥିବା ଲେଡି ରିସେପସନିଷ୍ଟ ହେଉଛନ୍ତି ମଧୁସ୍ମିତା ଦାସ ।
ସୂଚନା ଅନୁସାରେ, ଏକ ଛୁରୀରେ ୫ରୁ ୬ଥର ମରଣାନ୍ତକ ଭାବେ ଆକ୍ରମଣ କରି ରକ୍ତାକ୍ତ କରିଛି । ଏକ ଧାରୁଆ ଛୁରି ଯୋଗେ ଅଫିସ ଷ୍ଟାଫଙ୍କ ଉପସ୍ଥିତିରେ ଆକ୍ରମଣ ହୋଇଛି । ଯାହାକୁ ଦେଖି ଅଫିସ ଲୋକେ ଭୟରେ ଥର ହର ହୋଇ ଦୌଡିବାକୁ ଆରମ୍ଭ କରିଥିଲେ। ଏନେଇ ଆକ୍ରମଣରକାରୀ ଜଣକ ଖସି ଯାଉଥିବାବେଳେ କାବୁ କରିଥିଲେ ଅଫିସ କର୍ମଚାରୀ । ପରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି । ଅଭିଯୁକ୍ତ ଜଣକ ସମ୍ପୃକ୍ତ ମହିଳାଙ୍କର ସ୍ବାମୀ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।
ଉଭୟଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗିରହିଥିଲା । ଏନେଇ କିଛି ଭୁଲ ବୁଝାମଣା ପାଇଁ ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି ଆକ୍ରମଣ କରିଥିବା କୁହାଯାଉଛି । ଅଭିଯୁକ୍ତକୁ ପୋଲିସ ପଚରାଉଚରା କରିଛି । ମହିଳା ଜଣଙ୍କ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ବେକ ହାତ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ତେବେ ଅଫିସରେ ପଶି ଏଭଳି ଆକ୍ରମଣ ପଛର କାରଣ କଣ ? କାହିଁକି ଏହି ବ୍ୟକ୍ତି ଜଣଙ୍କ ନିଜ ପତ୍ନୀଙ୍କୁ ଆକ୍ରମଣ କରିଛନ୍ତି ? ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି ।