ଭୁବନେଶ୍ବର:ଉପ-ନିର୍ବାଚନରେ ବିଜେପି ହାରୁଛି କାହିଁକି । ଦୁର୍ବଳ ନେତୃତ୍ବ ନା ଦୁର୍ବଳ ପ୍ରସଙ୍ଗ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଝାରସୁଗୁଡା ଉପନିର୍ବାଚନରେ ବିଜେପି ପରାଜୟ ବରଣ କରିଛି । ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ କହିବା କଥା ରାଜ୍ୟରେ ବିଜେପିର ଲମ୍ବା ଯାତ୍ରା ଚାଲିଛି । ଦଳ 3ନମ୍ବର ଦଳ ଥିବା ବିଜେପି ଆଜି ମୁଖ୍ୟ ବିରୋଧି ଦଳର ମାନ୍ୟତା ପାଇଛି । ଆଗକୁ ଲୋକଙ୍କ ଆହୁରି ଆସ୍ଥା ଭାଜନ ହେବାକୁ ପଡିବ। ସେପଟେ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ ରାଜ୍ୟରେ ଯେତିକି ଫୋକସ କରିବା କଥା କେନ୍ଦ୍ରୀୟ ନେତୃତ୍ବ ସେତିକି ଫୋକସ କରୁନଥିବାରୁ ବିଜେପି ପରାଜୟ ବରଣ କରୁଛି ।
ବିଜେପି ବ୍ରଜରାଜନଗର ଉପନିର୍ବାଚନଠୁ ଆରମ୍ଭ କରି ପଦ୍ମପୁର, ବାଲେଶ୍ବର ସଦର ପରେ ଏବେ ଝାରସୁଗୁଡାରେ ମଧ୍ୟ ପରାଜୟ ବରଣ କରିଛି । ବ୍ରଜରାଜନଗରରେ ଶିଳ୍ପାୟନ ଓ ନିଯୁକ୍ତିକୁ ପ୍ରସଙ୍ଗ କରିଥିଲା ଦଳ । ହେଲେ କିଛି ଲାଭ ହେଲାନି । ପଦ୍ମପୁର ଉପ ନିର୍ବାଚନରେ ଜିଲ୍ଲା ମାନ୍ୟତା ପ୍ରସଙ୍ଗ ଉଠାଇଥିଲା ଦଳ । କିଛି ଫାଇଦା ମିଳିଲାନି । ଝାରସୁଗୁଡାରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇଥିଲା ବିଜେପି ତା ସତ୍ତ୍ବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାୟ ୫୦ ହଜାର ଭୋଟ ବ୍ୟବଧାନରେ ହାରିବାକୁ ପଡିଛି ।
ଏନେଇ ପ୍ରତିକ୍ରିୟା ରଖି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, "ରାଜ୍ୟରେ ଦେଶରେ ବିଜେପିର ଏକ ଲମ୍ବା ଯାତ୍ରା ଚାଲିଛି । ରାଜ୍ୟରେ ବିଜେପି ବଢୁଛି । ୩ ନମ୍ବର ଦଳ ଥିବା ବିଜେପି ଆଜି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି । ଏହା ସମ୍ଭବ ହୋଇପାରିଛି ଲୋକଙ୍କ ଗ୍ରହଣୀୟତା ଏବଂ ଆଶୀର୍ବାଦ ପାଇଁ । ବିଜେଡି ସହ ମେଣ୍ଟ କରି ଗୋଟିଏ ଭୁଲ କରିଥିଲା ବିଜେପି । ସେହି ଭୁଲରେ ସଂଶୋଧନ କରୁଛି ଦଳ । ବିଜେପିର ଭୋଟ ପ୍ରତିଶତ ବଢିଚାଲିଛି । ଦଳ ଏକ ପ୍ରାଇଭେଟ ଲିମିଟେଡ କମ୍ପାନୀ ନୁହେଁ । ସମୟ ଲାଗିବ । ଲୋକଙ୍କ ଆହୁରି ଆସ୍ଥା ଭାଜନ ହେବାକୁ ପଡିବ । ଉଚିତ ପ୍ରସଙ୍ଗ ଉଠାଇଛି ଦଳ । କେବଳ ସ୍ବରକୁ ଅଧିକ ଶାଣିତ କରିବାକୁ ପଡିବ । ନେତୃତ୍ବର ଅଭାବ ନାହିଁ । ଗାଲାକ୍ସି ଅଫ୍ ଲିଡରସିପ୍ ରହିଛି ବିଜେପି ପାଖରେ । ଲୋକଙ୍କ ଆସ୍ଥା ଭାଜନ ହେଲେ ଲୋକେ ବିଜେପିକୁ ସରକାରରେ ଅବସ୍ଥାପିତ କରିବେ ।"
ଏହା ବି ପଢନ୍ତୁ- ମୋଦିଙ୍କୁ ନବୀନଙ୍କ ଦାବି: ଓଡ଼ିଶାରେ ଆଉ ୨ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ ହେଉ