ଭୁବନେଶ୍ବର:2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକିଥିବାବେଳେ ଏକପ୍ରକାର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି । ରାଜ୍ୟରେ ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ଦଳକୁ ମଜଭୁତ କରିବାରେ ଲାଗିପଡ଼ିଛନ୍ତି । ବିଜେପି ଓ ବିଜେଡି ଦୁଇ ଦଳ ଭିତରେ ଲଢ଼େଇ ହେବ। କଂଗ୍ରେସ ପଛରେ ପଡ଼ିଯିବ ବୋଲି ଚର୍ଚ୍ଚା ହେଉଛି । ଆଜି ନୂଆବର୍ଷରେ ବିଜେପି ଏବଂ ବିଜେଡିର ନେତା ମନ୍ତ୍ରୀଙ୍କ ଘରେ ଶୁଭେଚ୍ଛୁଙ୍କର ସୁଅ ଛୁଟିଛି । ଏହାରି ଭିତରେ କଣ ରହିବ ଦୁଇ ରାଜନୈତିକ ଦଳର ନିର୍ବାଚନୀ ଚ୍ୟାଲେଞ୍ଜ ସେ ନେଇ ଉଭୟ ଦଳର ବରିଷ୍ଠ ନେତା ପ୍ରତିକ୍ରିୟା ରଖିଛନ୍ତି ।
ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଛନ୍ତି, " ୨୦୨୪ରେ ବିଜେଡି ସରକାର ବ୍ୟବହାର କରୁଥିବା ସରକାରୀ କଳ, ବାହୁ ବଳ ଏବଂ ଅର୍ଥ ବଳକୁ ପ୍ରତିହତ କରିବା ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ହେବ । ବୁଥ ସ୍ତରରେ ସଂଗଠନ ଏବଂ ୧ କୋଟି ଘର ସହ ପ୍ରତ୍ୟକ୍ଷ ସମ୍ପର୍କ ମାଧ୍ୟମରେ ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେଉଛି ଦଳ । ଗତ ୩ ଦିନ ଧରି କେନ୍ଦ୍ରୀୟ ନେତୃତ୍ଵ ସହ ମାନସ ମନ୍ଥନ ପରେ ଦଳୀୟ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । କର୍ମୀଙ୍କ ମଧ୍ୟରେ ଉତ୍ସାହ ବହୁତ ବଢିଛି । ଖୁବ୍ କମ ଦିନ ନବୀନ ପଟ୍ଟନାୟକ ସରକାର ରହିବ ବୋଲି ଆଶା ।"
ଏହା ବି ପଢନ୍ତୁ- ନୂଆବର୍ଷରେ ସୁରଙ୍କ ନୂଆ ନାରା, "କଂଗ୍ରେସ କମିଙ୍ଗ୍"
ସେ ଆହୁରି କହିଛନ୍ତି, "ଜାନୁଆରୀ ୫ ତାରିଖରୁ ବିଜେପି ଆନ୍ଦୋଳନାତ୍ମକ, ସାଂଗଠନିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରିବ । ବୁଥ, ମଣ୍ଡଳ ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ହେବ ବିଭିନ୍ନ କାର୍ଯ୍ୟକ୍ରମ । ଲୋକ ବୁଝି ଗଲେଣି ଯେ କେନ୍ଦ୍ରୀୟ ଯୋଜନାରେ ସବୁ ଅନୁଦାନ ମିଳୁଛି । ଚାଉଳ ଆମେ ଦେଉଛୁ ବୋଲି ବିଜେଡ଼ି ସରକାର ଯାହା କହୁଥିଲା, ତାହା ଲୋକଙ୍କ ସାମ୍ନାରେ ଭୁଲ ପ୍ରମାଣିତ ହୋଇଛି । ତେଣୁ ଏବେ ନବୀନ ବାବୁଙ୍କ ଫଟୋ ଲଗାଇ ଚାଉଳ ଦେବେ ବୋଲି କହିଲେଣି ରାଜ୍ୟ ସରକାର । ଲୋକମାନେ ସବୁ ଜାଣି ସାରିଲେଣି । ଜନତା ୨୦୨୪ରେ ଠିକ୍ ଜାଗାରେ ଭୋଟ ଦେବେ।"