ଓଡିଶା

odisha

ETV Bharat / state

ସକ୍ରିୟ ହେଲା ମୌସୁମୀ, ଆସନ୍ତା ୫ଦିନ ପ୍ରବଳ ଛେଚିବ - ପୁଣି ଫେରିଲା ମୌସୁମୀ

ସ୍ବାଭାବିକ ଅବସ୍ଥାକୁ ଫେରିଲା ମୌସୁମୀ । ଉପକୂଳ ମୁହାଁ ହେଲା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେଲା ବର୍ଷା । କାଲିଠୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢ଼ନ୍ତୁ

Weather update
ପାଣିପାଗ ସୂଚନା

By

Published : Jul 5, 2023, 6:37 PM IST

ପାଣିପାଗ ସୂଚନା

ଭୁବନେଶ୍ବର:ପୁଣିଫେରିଲା ମୌସୁମୀ,ତାତି ଏବଂ ଅସହ୍ୟ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଲଗାଣ ବର୍ଷାରେ ଥଣ୍ଡା ପଡିଲା ରାଜ୍ୟ । ଆଜିଠାରୁ ସ୍ବାଭାବିକ ଭାବରେ ମୌସୁମୀ ନିମ୍ନ ଚାପରେଖା ସକ୍ରୀୟ ହୋଇଥିବା ବେଳେ ରାଜସ୍ଥାନ ଠାରୁ ବାଲେଶ୍ବର ଦେଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଥିବା ଘୂର୍ଣ୍ଣିବଳୟ ଉପକୂଳ ଓଡ଼ିଶା ମୁହାଁ ହୋଇଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିଛି । ଆସନ୍ତା କାଲିଠାରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ମୌସୁମୀ ସକ୍ରିୟ ହେବା ଫଳରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ଏବଂ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ । ୨୪ ଘଣ୍ଟା ଯାଏଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା । ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ ଏବଂ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିଭଳି ୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗିରହିବ ବୋଲି ଆକଳନ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ସହରିଆ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିବାକୁ ଏସ୍ଆରସି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୌସୁମୀ ନିମ୍ନ ଚାପରେଖା ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟରେ ପାଗ ବଦଳିବା ସହ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

ଅନ୍ୟପଟେ ଚଳିତ ମୌସୁମୀ ଜୁନ୍ ୧ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ରାଜ୍ୟରେ ୧୭୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ୨୫୫.୮ ମିଲିମିଟର ବର୍ଷା ରେକର୍ଡ ହେବା କଥା । ଯାହା ସ୍ବାଭାବିକ ବର୍ଷା ଠାରୁ ୩୧ ପ୍ରତିଶତ ନିଅଣ୍ଟିଆ । ଦେବଗଡ ଜିଲ୍ଲାରେ ସର୍ବାଧିକ ୩୧ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ରାୟଗଡା ଜିଲ୍ଲାରେ ସର୍ବାଧିକ ୭୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ବର୍ଷା ନିଅଣ୍ଟିଆ ବର୍ଷାକୁ ଭରଣା କରିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details