ଓଡିଶା

odisha

By

Published : Apr 5, 2023, 3:38 PM IST

ETV Bharat / state

ନବ ନିଯୁକ୍ତ ଜିଓଲୋଜିଷ୍ଟଙ୍କୁ ମିଳିଲା ନିଯୁକ୍ତ ପତ୍ର, ଭୂତଳ ଜଳର ଉପଯୋଗିତା ଓ ଉପଲବ୍ଧତାକୁ ନେଇ ଆସିଲା ମୋବାଇଲ ଆପ

ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗରେ ୩୬ ଜଣ ଭୂତତ୍ତ୍ବବିତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ନବ ନିଯୁକ୍ତ ଜିଓଲୋଜିଷ୍ଟଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

ନବ ନିଯୁକ୍ତ ଜିଓଲୋଜିଷ୍ଟଙ୍କୁ ମିଳିଲା ନିଯୁକ୍ତ ପତ୍ର
ନବ ନିଯୁକ୍ତ ଜିଓଲୋଜିଷ୍ଟଙ୍କୁ ମିଳିଲା ନିଯୁକ୍ତ ପତ୍ର

ନବ ନିଯୁକ୍ତ ଜିଓଲୋଜିଷ୍ଟଙ୍କୁ ମିଳିଲା ନିଯୁକ୍ତ ପତ୍ର

ଭୁବନେଶ୍ବର: ଜଳ ସମ୍ପଦ ବିଭାଗରେ ନବ ନିଯୁକ୍ତ ୩୬ ଜଣ ଭୂତତ୍ତ୍ବବିତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଗୀତଗୋବିନ୍ଦ ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ନବ ନିଯୁକ୍ତ ଜିଓଲୋଜିଷ୍ଟଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଭୂତଳ ଜଳର ଉପଯୋଗିତା ଓ ଏହାର ଉପଲବ୍ଧତାକୁ ନେଇ ଏକ ମୋବାଇଲ ଆପ୍ଲିକେସନ ଉନ୍ମୋଚିତ ହୋଇଛି । ନ୍ୟାସନାଲ ହାଇଡ୍ରୋଲୋଜି ପ୍ରକଳ୍ପ ଅଧିନରେ ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟ, ଓଡ଼ିଶା ଦ୍ୱାରା ବିକଶିତ ହୋଇଛି ଏହି ମୋବାଇଲ ଆପ୍ଲିକେସନ । ଉନ୍ମୋଚିତ ହୋଇଥିବା ଆପ୍ଲିକେସନର ନାଁ ହେଉଛି 'ଗେସ୍' (ଗ୍ରାଉଣ୍ଡ ୱାଟର ୟୂଟିଲିଟି ଆଣ୍ଡ ଏକ୍ସଟ୍ରାସନ ଷ୍ଟ୍ରକ୍‌ଚର ସର୍ଭେ) । ମନ୍ତ୍ରୀଙ୍କ କରକମଳରେ ଏହା ଉନ୍ମୋଚିତ ହୋଇଛି ।

ଏହା ସହିତ ଛାତ ଉପରେ ବର୍ଷା ଜଳ ଅମଳ ବ୍ୟବସ୍ଥା ଓ ଭୂତଳ ଜଳ ପୁନଃ ଭରଣ ପାଇଁ ଉଦ୍ଦିଷ୍ଟ ଛାତ ଯୋଜନାରେ ଜନସାଧାରଣ କିପରି ସୁଯୋଗ ନେଇ ପାରିବେ, ସେନେଇ ସୂଚନା, ଶିକ୍ଷା ଓ ଯୋଗାଯୋଗ ଏବଂ ପ୍ରଚାର ପତ୍ରର ମନ୍ତ୍ରୀ ଶୁଭ ଉନ୍ମୋଚନ କରିଛନ୍ତି । ଏହି ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ଉଦ୍ଦେଶ୍ୟରେ ଏକ ପ୍ରଚାର ଗାଡିକୁ ପତାକା ଦେଖାଇ ମନ୍ତ୍ରୀ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରରେ ମନ୍ତ୍ରୀ କହିଛନ୍ତି, "ଜୀବନ ପାଇଁ ଜଳ ଅପରିହାର୍ଯ୍ୟ । ସାଧାରଣ ଜୀବନଯାପନରେ ପିଇବା ପାଣିଠାରୁ ଆରମ୍ଭ କରି କୃଷି, ଶିଳ୍ପ ଆଦି ପ୍ରତ୍ୟେକ କ୍ଷେତ୍ରରେ ଜଳର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳ ସମ୍ପଦର ସୁରକ୍ଷା, ଜଳ ସେଚନର ବିକାଶ ଓ କୃଷିର ଉନ୍ନତି ପାଇଁ ରାଜ୍ୟ ବଜେଟରେ ଅଧିକ ଆର୍ଥିକ ବ୍ୟବସ୍ଥା କରିଛନ୍ତି । ଆମେ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଓ ଉଠା ଜଳସେଚନ, ଚେକ ଡ୍ୟାମ ଆଦି ବ୍ୟବସ୍ଥା ମାଧ୍ୟମରେ ଜଳର ଉପାଦେୟତା ନେଇ ନିରନ୍ତର କାର୍ଯ୍ୟ ଜାରି ରଖିଛୁ । କିନ୍ତୁ ଅସ୍ବାଭାବିକ ଜଳବାୟୁ ପରିବର୍ତ୍ତନର ଆହ୍ବାନ ଦୃଷ୍ଟିରୁ ଆମକୁ ଭୂତଳ ଜଳ ଉପରେ ନିର୍ଭର କରିବାକୁ ପଡୁଛି ।" ତେବେ ନବ ନିଯୁକ୍ତ ଭୂତତ୍ତ୍ବବିତମାନେ ଯେଉଁ ବ୍ଲକରେ ଭୂତଳ ଜଳସ୍ତର କମିବାର ସୂଚନା ରହିଛି, ସେହି ସବୁ ଅଞ୍ଚଳରେ ଭୂତଳ ଜଳସ୍ତର ସ୍ଥିତି ଅନୁଧ୍ୟାନ କରି ଜନସାଧାରଣଙ୍କୁ ଭୂତଳ ଜଳର ଉପଲବ୍ଧି ନେଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ୫-ଟି ଉପକ୍ରମ ଆଧାରରେ ବିଭାଗରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରାଯାଇ ଅନେକ କ୍ଷେତ୍ରରେ କାର୍ଯ୍ୟ ତ୍ବରାନିତ କରାଯାଇଛି । ନବ ନିଯୁକ୍ତ ଭୂତତ୍ତ୍ବବିତମାନେ ଏଥିରେ ସାମିଲ ହୋଇ ବିଭାଗର ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହେବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ସେପଟେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, "ଭୂତଳ ଜଳ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଭୂତଳ ଜଳର ନିଷ୍କାସନ ହାର ଜାତୀୟସ୍ତରରେ ୬୧ ପ୍ରତିଶତ ରହିଥିବା ବେଳେ ଆମ ରାଜ୍ୟରେ ଏହା ୪୩ ପ୍ରତିଶତ ରହିଛି । ଏଣୁ ଭୂତଳ ଜଳ ନିଷ୍କାସନ କ୍ଷେତ୍ରରେ ରହୁଥିବା ଚାପ ଆମ ରାଜ୍ୟରେ କମ ରହିଛି । କିନ୍ତୁ ଆମେ ଏଥିରେ ସନ୍ତୁଷ୍ଟ ନହୋଇ ଭୂତଳ ଜଳ ଭରଣ ମାତ୍ରାକୁ ବଢ଼ାଇବାକୁ ପଡିବ । ଛାତ ଉପର ବର୍ଷା ଜଳ ଅମଳ ବ୍ୟବସ୍ଥା ଯୋଜନାର ସୁଯୋଗ ନେବା । ଭୂତଳ ଜଳ ଭରଣ ବ୍ୟବସ୍ଥା ଅରୁଆ (ଆର୍ଟିଫିସିଆଲ ରିଚାର୍ଜ ଟୁ ଅଣ୍ଡରଗ୍ରାଉଣ୍ଡ ଆକ୍ବାଫର)କୁ ଆପଣେଇବା ପାଇଁ ଏ ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯାଉଛି । ରାଜ୍ୟରେ ୭ଟି ବ୍ଲକର ଭୂତଳ ଜଳସ୍ତର ଅର୍ଦ୍ଧ ଗମ୍ଭୀର ଭିତରେ ଅଛି । କିନ୍ତୁ କୌଣସି ବ୍ଲକରେ ଭୂତଳ ଜଳସ୍ତର ଅତ୍ୟଧିକ ନିଷ୍କାସିତ ହେଉନାହିଁ ।"

ଯେଉଁ ଭୂତତ୍ତ୍ବବିତମାନେ ବିଭାଗରେ ନୂତନ ଭାବେ ଯୋଗଦାନ କରିଛନ୍ତି, ସେମାନେ ସାଧୁତା ଓ ଦକ୍ଷତାର ସହ କାର୍ଯ୍ୟ କରିବା ସହ ଭୂତଳ ଜଳସ୍ତରର ସ୍ଥିତି ଆକଳନ ଓ ଏହାର ସଠିକ୍‌ ଉପଯୋଗିତାରେ ସହାୟତା କରିବାକୁ ସେ ଆହ୍ୱାନ ଦେଇଛନ୍ତି । କାର୍ଯ୍ୟକ୍ରମରେ ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟର କାର୍ଯ୍ୟାବଳୀ ଓ ସଫଳତାକୁ ଆଧାର କରି ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଭକ୍ତ ରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ମୁଖ୍ୟଯନ୍ତ୍ରୀ ଭୂତଳ ଜଳ ଉନ୍ନୟନ, ଓଡ଼ିଶା ଇଂ କୃଷ୍ଣଚନ୍ଦ୍ର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସର୍ବୋଚ୍ଚ ଯନ୍ତ୍ରୀ, ଯୋଜନା ଓ ନକ୍ସାଙ୍କନ ଡଃ ଚନ୍ଦ୍ରଶେଖର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details