ଭୁବନେଶ୍ବର: ସାଧାରଣ ମଣିଷ ଭଳି ସେ ବି ମଣିଷ । ହେଲେ ସେମାନଙ୍କୁ ପୁରୁଷ ଶରୀରରେ ନାରୀର ଗୁଣ ସଞ୍ଚାର କରି ଭଗବାନ କରିଦେଇଛନ୍ତି ଅସାଧାରଣ । ସମ୍ମାନ ଓ ଅଧିକାରର ଲଢେଇରେ ବହୁ ସଂଘର୍ଷ କରି ଶେଷରେ ତୃତୀୟ ଲିଙ୍ଗର ମାନ୍ୟତା ପାଇଛନ୍ତି ଏମାନେ । କିନ୍ତୁ ପେଟ ପାଟଣା ଟିକକ ପାଇଁ ସତେ ଯେମିତି ହାର ମାନିଯାଇଛି ସେମାନଙ୍କ ସ୍ବାଭିମାନ । ଏ ହେଉଛି ରାଜଧାନୀର ରେଡ ଲାଇଟ ଜୋନରେ ଦେଖାଯାଉଥିବା କିନ୍ନରଙ୍କ କଥା । ଦେଖନ୍ତୁ ଅନ୍ଧାର ରାତିର ଏମାନଙ୍କ କିଛି ଅକୁହା କଥାକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ ।
ପୁରୁଷ ଶରୀରରେ ନାରୀର ମନ ନେଇ ଜନ୍ମ ନେଇ ସତେ ଯେମିତି ପାପ କରିଛନ୍ତି ଏମାନେ । ପ୍ରତିଟି ମୁହୂର୍ତ୍ତରେ ଏହି ସତ୍ୟରୁ ଦୂରେଇବାକୁ ଚାହୁଁଥିଲେ ବି ସମାଜ ଏହା କରିବାକୁ ଦେଉ ନାହିଁ । ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କ ଅଧିକାର ଓ ସମ୍ମାନକୁ ନେଇ ନାରା ଦିଆଯାଉଥିବା ବେଳେ ବାସ୍ତବତା କିନ୍ତୁ କିଛି ଭିନ୍ନ । ଏବେ ବି ଦେହ ବ୍ୟବସାୟରେ ସଂଶ୍ଳିଷ୍ଟ ଅନେକ କିନ୍ନର ।