ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କୁ ନିଶାନା, ତିନି ଦିନରେ ଅସନ୍ତୋଷ ଝାଡିଲେ ୩ କେନ୍ଦ୍ରମନ୍ତ୍ରୀ

ବିକାଶରେ ବାଧା ସାଜୁଛନ୍ତି ରାଜ୍ୟ ସରକାର । ତିନି ଦିନ ମଧ୍ୟରେ ୨ କେନ୍ଦ୍ରମନ୍ତ୍ରୀଙ୍କ ପରେ ନବୀନ ସରକାର ଉପରେ ଅସନ୍ତୋଷ ଝାଡିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁ଼ଡୁ । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 30, 2023, 6:19 PM IST

Union Minister Bisweshwar Tudu
Union Minister Bisweshwar Tudu

ରାଜ୍ୟ ସରକାରଙ୍କୁ ନିଶାନା, ତିନି ଦିନରେ ଅସନ୍ତୋଷ ଝାଡିଲେ ୩ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର:ତିନି ଦିନରେ ଅସନ୍ତୋଷ ଝାଡିଲେ ତିନି କେନ୍ଦ୍ରମନ୍ତ୍ରୀ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଓ ଦର୍ଶନା ଜାର୍ଦୋଶଙ୍କ ପରେ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁ଼ଡୁ । ଆଣିଛନ୍ତି ସମାନ ଅଭିଯୋଗ । କହିଲେ ରାଜ୍ୟ ସରକାର କରୁଛନ୍ତି ଅସହଯୋଗ । ବିକାଶ ପାଇଁ ଦେଉନାହାନ୍ତି ପ୍ରସ୍ତାବ କି କରୁ ନାହାନ୍ତି ଆଲୋଚନା । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି, ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର ବିଭାଗକୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ କିମ୍ବା ସଚିବ ସ୍ତରରେ କୌଣସି ଆଲୋଚନା କରି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଏନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି, "କୌଣସି ନୂତନ ପ୍ରକଳ୍ପ ପାଇଁ ବିଭାଗ ପାଖକୁ ପ୍ରସ୍ତାବ ପଠାଉନାହାନ୍ତି ରାଜ୍ୟ ସରକାର । ତେଣୁ ରାଜ୍ୟରେ ଏମାନଙ୍କର କିଛି କରିବାର ଇଚ୍ଛା ନାହିଁ ବୋଲି ସ୍ପଷ୍ଟ ଜଣାପଡ଼ୁଛି । କିନ୍ତୁ ଅନ୍ୟପଟେ ଭାରତ ସରକାରଙ୍କ ବିଭିନ୍ନ ଯୋଜନାକୁ ନୂଆ ନାମକରଣ କରି ହଡ଼ପ କରୁଛନ୍ତି । ଚଞ୍ଚକତା କରି ଲୋକଙ୍କୁ ଭକୁଆ ବନାଉଛନ୍ତି । ଏହା ବଡ ଦୁର୍ଭାଗ୍ୟଜନକ କଥା । ତେଣୁ ଏବେ ବି ୩-୪ ମାସ ସମୟ ଅଛି । ଏବେ ବି ରାଜ୍ୟ ସରକାର ଯେକୌଣସି ପ୍ରସ୍ତାବ ଦିଅନ୍ତୁ । ଯଦି ପ୍ରକୃତରେ ଓଡ଼ିଶାବାସୀଙ୍କ ସେବା କଥା ଚିନ୍ତା କରୁଛନ୍ତି । କେନ୍ଦ୍ର ସ୍ତରର ଯାହା କରିବା କଥା କରାଯିବ ।"

ଏହା ବି ପଢନ୍ତୁ- ଓଡିଶା ସରକାର ଦୁର୍ନୀତିକୁ ନୀତି କରିଛନ୍ତି, କରପସନ୍‌ ସରକାରଙ୍କ ନୀତି: ବିଜେପି

ସେ ଆହୁରି କହିଛନ୍ତି, " ସାଢ଼େ ଚାରି କୋଟି ଓଡ଼ିଆ ଜାଣି ସାରିଲେଣି ରାଜ୍ୟ ସରକାର ଆଦିବାସୀମାନଙ୍କୁ କେବଳ ନଚେଇବା, ଦୌଡାଇବା ବା ସାଂସ୍କୃତିକ କାର୍ଯ୍ୟକ୍ରମ କରିଦେଲେ ଭାବୁଛନ୍ତି ଆଦିବାସୀମାନଙ୍କର ବିକାଶ ହେବ । ରାଜ୍ୟ ସରକାର ଚଞ୍ଚକତା ଓ ଚକ୍ରାନ୍ତ କରି ଶିଳ୍ପପତିମାନଙ୍କୁ ଜମି ହସ୍ତାନ୍ତର କରିବା ପାଇଁ ଯୋଜନା କରୁଥିଲେ । ଏହାକୁ ନେଇ ଆଦିବାସୀମାନେ ସଚେତନ ହୋଇଗଲେଣି । ରାଜ୍ୟ ସରକାର ଆଦିବାସୀ ମାନଙ୍କୁ କାଙ୍ଗାଳ କରିବା ପାଇଁ ଯୋଜନା କରୁଥିଲେ । ବୋଧେ ସେଥିପାଇଁ ଚାରି ଦିନ ପରେ ପଞ୍ଚମ ଦିନ ବି ବିଧାନସଭା ଚଳାଇଲେ ନାହିଁ ରାଜ୍ୟ ସରକାର ।"

ଏହା ବି ପଢନ୍ତୁ-ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ: ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ

ପ୍ରତି ଆଦିବାସୀ ଗାଁରେ କେନ୍ଦ୍ର ଅତି କମରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଗୁଣାତ୍ମକ ଶିକ୍ଷା ପାଇଁ ଏକଲବ୍ୟ ମଡେଲ ସ୍କୁଲ କରାଯାଇଛି । ୧୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାଗଣାରେ ସିବିଏସଇ ପାଟର୍ନରେ ଷଷ୍ଠରୁ ଦ୍ଵାଦଶ ପର୍ଯ୍ୟନ୍ତ ପାଠ ପଢ଼ୁଛନ୍ତି । 5Tରେ ସ୍କୁଲରେ ରଙ୍ଗ ମାରି ୫୦ ଲକ୍ଷ ଟଙ୍କା ହଡ଼ପ କରିବା କଣ କାମ ? ଶିକ୍ଷକ, ନଥିବେ କି କିଛି ଭିତ୍ତିଭୂମି ନଥିବ । ଏହା ହେଉଛି ବିଜେଡି ସରକାର । କିନ୍ତୁ ମୋଦି ସରକାର ଆଦିବାସୀମାନଙ୍କର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷା, ପିଇବା ପାଣିଠାରୁ ଆରମ୍ଭ କରି ସିକିଲସେଲ ନ ବ୍ୟାପିବା ପାଇଁ ସଚେତନତା ମୂଳକ ପଦକ୍ଷେପ ନେଉଛନ୍ତି । ତେଣୁ ବିଜେପି ସରକାର ସବୁବେଳେ ଆଦିବାସୀମାନଙ୍କ କଥା ଚିନ୍ତା କରନ୍ତି ହେଲେ ରାଜ୍ୟ ସରକାର କେବେ ବି ଚିନ୍ତା କରନ୍ତି ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଟୁଡୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details