ଭୁବନେଶ୍ବର: ଏଣିକି ଆଉ ରହିବନି ଏମ୍.ଫିଲ୍ ପାଠ୍ୟକ୍ରମ । ଉଚ୍ଚଶିକ୍ଷା ପାଇଁ ଏଣିକି ଛାତ୍ର ଛାତ୍ରୀ ମାନଙ୍କ କମିଲା ପାଠ ପଢା ବୋଝ । ଗବେଷଣା ପ୍ରତି ଆଗ୍ରହୀ ଛାତ୍ର ଛାତ୍ରୀ ମାନେ ସ୍ନାତକତ୍ତୋର ପରେ ସିଧାସଳଖ କରିପାରିବେ ପିଏଚଡି ରେ ଆଡମିଶନ । ମାଷ୍ଟର ଅଫ୍ ଫିଲୋସୋଫି (ଏମ୍.ଫିଲ୍) ପାଠ୍ୟକ୍ରମ ଏକ ସ୍ବୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ ବୋଲି ସ୍ପଷ୍ଟ କରିଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି ) । ଏଭଳି ପ୍ରୋଗ୍ରାମ ଗୁଡ଼ିକରେ ନାମ ନ ଲେଖାଇବା ପାଇଁ କେତେକ ବିଶ୍ବବିଦ୍ୟାଳୟ ପକ୍ଷରୁ ବହୁଳ ବିଜ୍ଞାପନ ଦିଆଯାଉଥିବାରୁ ଏନେଇ ଛାତ୍ରୀଛାତ୍ରମାନଙ୍କୁ ସତର୍କ କରିଛି ୟୁଜିସି ।
ୟୁଜିସି ସେକ୍ରେଟାରି ମନୀଷ ଜୋଶୀ କହିଛନ୍ତି, କିଛି ୟୁନିଭର୍ସିଟି ଏମ୍.ଫିଲ୍ କୋର୍ସରେ ନାମ ଲେଖାଇବା ନିମନ୍ତେ ପିଲାଙ୍କଠାରୁ ଦରଖାସ୍ତ ଆହ୍ବାନ କରିଥିବାର ଘଟଣା ଆୟୋଗଙ୍କ ନଜରକୁ ଆସିଛି । ୟୁଜିସିର ରେଗୁଲେଶନ୍ ନଂ.୧୪ (ମିନିମମ୍ ଷ୍ଟାଣ୍ଡାର୍ଡ୍ସ ଆଣ୍ଡ୍ ପ୍ରୋସିଡ୍ୟୁର ଫର୍ ଆୱାର୍ଡ ଅଫ୍ ପିଏଚ୍ଡି ଡିଗ୍ରୀ) ରେଗୁଲେଶନ୍ସ, ୨୦୨୨ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ କୌଣସି ଏମ୍.ଫିଲ୍ ପାଠ୍ୟକ୍ରମ ଚଳାଇପାରିବେ ନାହିଁ । ତେଣୁ ୨୦୨୩-୨୪ ଶିକ୍ଷାବର୍ଷରେ ଏପରି ଏମ୍.ଫିଲ୍ ପ୍ରୋଗ୍ରାମରେ ତୁରନ୍ତ ନାମଲେଖା ବନ୍ଦ କରିବାକୁ ବିଶ୍ବବିଦ୍ୟାଳୟ ଗୁଡ଼ିକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ କୌଣସି ଏମ୍.ଫିଲ୍ କୋର୍ସରେ ନାମ ନ ଲେଖାଇବାକୁ ପରାମର୍ଶ ଦିଆଯାଇଥିବା ୟୁଜିସି ସେକ୍ରେଟାରି କହିଛନ୍ତି ।