ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟବଶତଃ ବର୍ତ୍ତିଯାଇଛନ୍ତି ୨ ଟ୍ରେନର ପାଇଲଟ । କରମଣ୍ଡଳ ଏକ୍ସପ୍ରେସ ଓ ଯଶବନ୍ତପୁର-ହାୱଡା ଏକ୍ସପ୍ରେସର ଡ୍ରାଇଭର ଜୀବିତ ଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଏବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ଅନ୍ୟପଟେ ମାଲବାହୀ ଟ୍ରେନର ପାଇଲଟ କିମ୍ବା ଗାର୍ଡ ଆହତ ହୋଇନଥିବା ମଧ୍ୟ ଜଣାପଡ଼ିଛି ।
ଦକ୍ଷିଣ-ପୂର୍ବ ରେଳବାଇ (SER) ଖଡ଼ଗପୁର ଡିଭିଜନର ସିନିଅର ଡିଭିଜନାଲ କମର୍ସିଆଲ ମ୍ୟାନେଜର ରାଜେଶ କୁମାର ଲୋକୋ ପାଇଲଟଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି । ତେବେ କରମଣ୍ଡଳ ଏକ୍ସପ୍ରେସର ଲୋକ ପାଇଲଟ, ଆସିଷ୍ଟାଣ୍ଟ ଲୋକାପାଇଲଟ ଏବଂ ଯଶବନ୍ତପୁର-ହାୱଡା ଏକ୍ସପ୍ରେସର ପାଇଲଟ ଓ ଗାର୍ଡ ଆହତ ହୋଇଥିବା ସେ କହିଛନ୍ତି । କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ ଡ୍ରାଇଭର ଗୁଣନିଧି ମହାନ୍ତି ଓ ତାଙ୍କ ଆସିଷ୍ଟାଣ୍ଟ ହଜାରି ବେହେରା ଏମ୍ସ ଭୁବନେଶ୍ବରରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ସୂଚନା ଦେଇ ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ କହିଛନ୍ତି, " ଉଭୟ ଡ୍ରାଇଭରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗୁଣନିଧିଙ୍କୁ ICUର ବାହାର କରାଯାଇଥିବା ବେଳେ ବେହେରାଙ୍କ ହେଡ ସର୍ଜରୀ ହେବାର ସମ୍ଭାବନା ରହିଛି ।"
ଏହା ବି ପଢନ୍ତୁ- Train Tragedy: ଟ୍ରେନର ପାଇଲଟ ଓ ଗାର୍ଡଙ୍କ ସ୍ଥିତି କଣ ? ଜାଣନ୍ତୁ ଗୋଟିଏ କ୍ଲିକରେ
ଅନ୍ୟପଟେ ଡ୍ରାଇଭରମାନ କିଭଳି ଏହି ଭୟଙ୍କର ଦୁର୍ଘଟଣାରୁ ରିକଭର କରିବେ, ମାନସିକ ଓ ଶାରୀରିକ ସ୍ତରରେ କିଭଳି ସୁସ୍ଥ ହେବେ ଏବଂ ସେମାନଙ୍କ ଗୋପନୀୟତା ଲାଗି ପରିବାର ପକ୍ଷରୁ ଅପିଲ କରାଯାଇଛି । ତେବେ ରେଲୱେ ବୋର୍ଡର ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ କରମଣ୍ଡଳ ଏକ୍ସପ୍ରେସ ଦ୍ରୁତ ଗତିରେ ଯାତ୍ରା କରୁନଥିଲା । ଏହାର ଗତି ତ୍ରୀବ୍ରତା ୧୩୦ କିମି ପ୍ରତି ଘଣ୍ଟା ରହିଥିବା ବେଳେ ଏହା ୧୨୮କିମି ବେଗରେ ଗତି କରୁଥିଲା । ଏହାସହିତ କରମଣ୍ଡଳକୁ ଲୁପ ଲାଇନରେ ଯିବାକୁ ଗ୍ରୀନ ସିଗ୍ନାଲ ମିଳିଥିଲା । ଏହାସହ ରେଲୱେ ବୋର୍ଡ ଲୋକୋ ପାଇଲଟଙ୍କୁ ଗ୍ରୀନ ଚିଟ୍ ଦେଇସାରିଥିବା ବେଳେ ସିଗ୍ନାଲ ଫେଲ ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ଏହି ଦୁର୍ଘଟଣାରେ ପ୍ରାୟ ୨୭୫ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୧୦୦୦ ଜଣ ଆହତ ମଧ୍ୟ ହୋଇଛନ୍ତି । ଜୁନ ୨ ତାରିଖ ଶୁକ୍ରବାର ରାତିରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା । କରମଣ୍ଡଳ-ଚେନ୍ନାଇ ଏକ୍ସପ୍ରେସର ସିଗ୍ନାଲ ପାଇବା ପରେ ଲୁପ ଲାଇନକୁ ଯାଇଥିଲା । ଏଠାରେ ପୂର୍ବରୁ ମାଲବାହୀ ଟ୍ରେନ ରହିଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବା ପରେ ଅନ୍ୟ ଲାଇନରେ ଆସୁଥିବା ଯଶବନ୍ତପୁର-ହାୱଡା ଟ୍ରେନର ପଛ ୩ଟି ବଗିରେ କରମଣ୍ଡଳର କିଛି ବଗି ଧକ୍କା ଖାଇଥିଲା । ଫଳରେ ଯଶବନ୍ତପୁରର ପଛ ୩ଟି ବଗି ଟ୍ରେନରୁ ଅଲଗା ହୋଇଯାଇଥିଲା ।
ସମସ୍ତ ଜୋନରେ ସୁରକ୍ଷା ଯାଞ୍ଚ ଆରମ୍ଭ କଲା ରେଳ ବୋର୍ଡ:-ବାହାନଗା ରେଳ ଦୁର୍ଘଟଣା ଘଟିବା ପରେ ଅଧିକ ସତର୍କ ହୋଇଛି ରେଳ ବୋର୍ଡ । ଏନେଇ ବୋର୍ଡ ପକ୍ଷରୁ ସୁରକ୍ଷା ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ଭାରତୀୟ ରେଲୱେର ମୋଟ ୧୯ଟି ଜୋନରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନ ମାଧ୍ୟମରେ ସିଗ୍ନାଲିଂ ବ୍ୟବସ୍ଥାର ସୁପର ଚେକ୍ ହେବ । ତନ ତନ କରି ଏହାକୁ ଯାଞ୍ଚ କରାଯିବ । ଏହି ସମୟରେ ଜୋନରେ ଥିବା ସମସ୍ତ ପ୍ରକାର ତ୍ରୁଟି ବା ଅବହେଳାର ଯାଞ୍ଚ କରାଯିବ । ଏହାପରେ ଆସନ୍ତା ଜୁନ ୧୪ ତାରିଖରେ ଏନେଇ ଏକ ରିପୋର୍ଟ ସମସ୍ତ ଜୋନ ପକ୍ଷରୁ ବୋର୍ଡ ନିକଟରେ ଦାଖଲ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ