ଖୋର୍ଦ୍ଧା:ଜିଲ୍ଲାର ୨ଟି ଅଞ୍ଚଳରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର । ଗୋଟିଏ ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକ ନିକଟ ପରିତ୍ୟକ୍ତ ଘର ପାଖରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ରାଥମିକ ତଦନ୍ତରୁ କେହି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସେହିପରି ମୃତକ ବ୍ୟକ୍ତିଙ୍କ ବୟସ ପାଖାପାଖି ୪୫ ରୁ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
ତେବେ ମୃତକଙ୍କ ପ୍ୟାଣ୍ଟ ପକେଟରୁ ମିଳିଛି ଏକ ୧୪ ବର୍ଷୀୟା ନାବାଳିକାଙ୍କ ଫଟୋ ଚିତ୍ର । ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା ମୃତଦେହ । ପରେ ସ୍ଥାନୀୟ ଲୋକ ଆଦର୍ଶ ଥାନା ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଖୋର୍ଦ୍ଧା ଏସଡିପିଓ,ଆଦର୍ଶ ଥାନା ଅଧିକାରୀ ଏବଂ ଶିଳ୍ପାଞ୍ଚଳ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛନ୍ତି । ତେବେ ମୃତକ ଜଣକ କିଏ ଏବଂ ଏଠାରେ କିପରି ତାଙ୍କର ମୃତ୍ୟୁ ହୋଇଛି ତାର ଅନୁସନ୍ଧାନ କରୁଛି ପୋଲିସ ।
ସେହିପରି ଅନ୍ୟ ଜଣେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଡାକ୍ତର ସାହିର ସୁକାନ୍ତ ରାଉତରାୟ ଗତକାଲି ଗାଧୋଇବା ବେଳେ ପୋଖରୀରେ ଗୋଡ ଖସିଯାଇ ବୁଡି ଯାଇଥିଲେ । ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଦମକଳବାହିନୀ ସହାୟତାରେ ବୃଦ୍ଧଙ୍କ ମୃତଦେହକୁ ପୋଖରୀରୁ ଉଦ୍ଧାର କରି ଜବତ କରିଥିଲେ । ଆଦର୍ଶ ଥାନା ପୋଲିସ ଦୁଇଟି ମୃତଦେହକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଉଭୟ ଘଟଣାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।