ଭୁବନେଶ୍ବର:ବାହାନଗା ରେଳ ଦୁର୍ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ସେ ଆଜି ସୂଚନା ଦେଇଛନ୍ତି । ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୭୫ରେ ରହିଥିବା ବେଳେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଜୁନ ୨ ତାରିଖ ଅଶୁଭ ଶୁକ୍ରବାରରେ ଘଟିଥିଲା କରମଣ୍ଡଳ ଏକ୍ସପ୍ରେସ ଓ ଯଶବନ୍ତପୁର-ହାୱଡା ଏକ୍ସପ୍ରେସର ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ହାୱଡାରୁ ଆସୁଥିବା ବେଳେ ଯଶବନ୍ତପୁର ଏକ୍ସପ୍ରେସ ହାୱଡାକୁ ଯାଉଥିଲା । ଏହି ସମୟରେ ଘଟିଥିଲା ଦୁର୍ଘଟଣା ।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ ମୋଟ ୨୮୮ ମୃତକଙ୍କ ମଧ୍ୟରୁ ୨୦୫ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି । ସେହିପରି ୮୩ଟି ମୃତକଙ୍କ ମୃତଦେହ ଚିହ୍ନଟ ପ୍ରକ୍ରିୟା ମଧ୍ୟରେ ରହିଛି । ଏହାସହିତ ଚିହ୍ନଟ ହୋଇପାରିନଥିବା ମୃତକଙ୍କ DNA ନମୁନା ସଂଗ୍ରହ କରାଯାଇଛି । ଭୁବନେଶ୍ବରରେ ୧୯୩ଟି ମୃତକଙ୍କ ମଧ୍ୟରୁ ୧୧୦ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଥିବା ବେଳେ ବାଲେଶ୍ବରରେ ୯୪ ଓ ଭଦ୍ରକରେ ଜଣେ ମୃତକଙ୍କ ପରିଚୟ ମିଳିଛି ।
ଏହା ବି ପଢନ୍ତୁ- ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସରେ ଧୂଆଁ, ଓହ୍ଲାଇଗଲେ ଯାତ୍ରୀ