ଭୁବନେଶ୍ବର: ରାଜଧାନୀରେ ଲୁଟ୍ର ନୂଆ ତରିକା । ଗହଣା ସଫା ଆଳରେ କରାଯାଉଛି ଲୁଟ୍ । କମ୍ପାନୀ ଏଜେଣ୍ଟ କହି ଘରକୁ ଘର ବୁଲୁଛନ୍ତି ସୁଟ୍ ବୁଟ୍ ପିନ୍ଧା ଲୁଟେରା । ଆଉ ସୁନା ରୂପା ସଫା କରିଦେବା ଆଳରେ ସ୍ପ୍ରେ କରି ଗହଣା ଲୁଟିନେଉଛନ୍ତି । ଅନେକ ମହିଳା ଏଭଳି ଲୁଟ୍ ପାଟର ଶିକାର ହୋଇଥିବାବେଳେ ସତର୍କ କରାଇଛି ପୋଲିସ । ଏୟାରପୋର୍ଟ ଅଞ୍ଚଳରୁ ସାମନକୁ ଆସିଛି ଏପରି ଏକ ଘଟଣା । ଏୟାରପୋର୍ଟ ଥାନା ପୋଖରୀପୁଟ ଅଞ୍ଚଳରେ ବୁଲାଇଲେ କଳାକନା । ଅନନ୍ତ ବିହାରରେ ରହୁଥିବା ମହାମୟୀ ସିହ୍ନା ନାମକ ମହିଳା ଏଭଳି ଲୁଟର ଶିକାର ହୋଇଛନ୍ତି । ଏନେଇ ଏୟାରପୋର୍ଟ ଥାନାରେ ଗତ ଶୁକ୍ରବାର ଅଭିଯୋଗ ହୋଇଛି ।
ପୋଲିସର ସୂଚନା ମୁତାବକ, ସୁନା ଗହଣା ପିନ୍ଧି ବୁଲୁଥିବା ମହିଳାଙ୍କୁ ପ୍ରଥମେ ଲୁଟେରାମାନେ ଟାର୍ଗେଟ କରୁଛନ୍ତି । ଭୁବନେଶ୍ବରର ପ୍ରତି ଗଳିରେ ଏହି ଲୁଟେରା ଗ୍ୟାଙ୍ଗ ବୁଲୁଥିବାବେଳେ ସୁନା ଗହଣା ପିନ୍ଧି ଯାଉଥିବା ମହିଳାଙ୍କ ପିଛା କରନ୍ତି । ପରେ ନିଜକୁ ମଲ୍ଟି ନାସନାଲ କମ୍ପାନୀର ସେଲସ ପର୍ସନ କହି ପ୍ରଡକ୍ଟ ଦେଖାଇବା ଆଳରେ ଘରେ ପଶୁଛନ୍ତି । ନିଜକୁ କମ୍ପାନୀର ଏଜେଣ୍ଟ କହି ପ୍ରମୋସନ ଆଳରେ କଂସା ବାସନ ବା ସୁନା ରୂପା ଅଳଙ୍କାର ସଫା କରିବା ପାଇଁ କେମିକାଲ ଓ୍ବାସର ପ୍ରମୋସନ କରୁଛନ୍ତି । ସେମାନଙ୍କର କଥାରେ ମହିଳାମାନେ ରାଜି ହେଲେ ବା ଆଗ୍ରହ ଦେଖାଇଲେ ଅଳଙ୍କାର ସଫା କରିବା ପାଇଁ ଦାମୀ କେମିକାଲ ଦେଖାଇବା ଆଳରେ ଅଳଙ୍କାର ସବୁ ବାନ୍ଧି ସ୍ପ୍ରେ ପକାଇ ଛୁ ମାରୁଛନ୍ତି । ଏମିତି ଢଙ୍ଗରେ ଗତ ଶୁକ୍ରବାର ମହାମାୟୀ ସିହ୍ନା ଓ ତାଙ୍କ ପଡୋଶୀଙ୍କଠାରୁ ଲୁଟ୍ କରାଯାଇଛି ।