ଓଡିଶା

odisha

ଜଟଣୀରୁ କିଏ ହେବ କଂଗ୍ରେସ ପ୍ରାର୍ଥୀ ? ସୁରଙ୍କ ଦୃଢୋକ୍ତି ମନ୍ମଥ ହିଁ ପ୍ରାର୍ଥୀ ହେବେ, ମନ୍ମଥଙ୍କ ସସ୍‌ପେନ୍ସ ଜାରି

ବଢ଼ିବାରେ ଲାଗିଛି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ତାଙ୍କ ପୁଅ ମନ୍ମଥ ରାଉତରାୟଙ୍କ ଫ୍ୟାମିଲି ସସ୍‌ପେନ୍‌ସ୍‌ । ମନ୍ମଥ ଜଟଣୀରୁ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ସୁର ବାରମ୍ବାର ଦୃଢ଼ୋକ୍ତି ବାଢ଼ୁଥିବା ସତ୍ତ୍ବେ ମନ୍ମଥ କହିଛନ୍ତି କଂଗ୍ରେସ ବିରୋଧରେ ଲିଗାଲ ଆକ୍ସନ ନେବେ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Sep 9, 2023, 9:04 PM IST

Published : Sep 9, 2023, 9:04 PM IST

ଜଟଣୀରୁ କିଏ ହେବ କଂଗ୍ରେସ ପ୍ରାର୍ଥୀ ?
ଜଟଣୀରୁ କିଏ ହେବ କଂଗ୍ରେସ ପ୍ରାର୍ଥୀ ?

ଜଟଣୀରୁ କିଏ ହେବ କଂଗ୍ରେସ ପ୍ରାର୍ଥୀ ?

ଭୁବନେଶ୍ବର: ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ତାଙ୍କ ପୁଅ ମନ୍ମଥ ରାଉତରାୟଙ୍କ ବୟାନ ଭିତରେ ତାଳମାଳ ରହୁନାହିଁ । ଫଳରେ ଆଗାମୀ ନିର୍ବାଚନରେ ଜଟଣୀ ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥୀ କିଏ ହେବ, ସେନେଇ ପ୍ରଶ୍ନ ଉଠିଛି । ଆଜିର ଦିନରେ ସୁର ରାଉତରାୟଙ୍କ ସିଧା ସିଧା ଉତ୍ତର ହେଲା ମନ୍ମଥ ରାଉତରାୟ ହିଁ ଜଟଣୀରୁ କଂଗ୍ରେସ ପ୍ରାର୍ଥୀ ହେବେ । ସେ ଅଲବତ ଛିଡା ହେବେ । ନିଜ ଜିଦରେ ଅଟଳ ସୁର ରାଉତରାୟ । ସେପଟେ ପୁଅ ମନ୍ମଥ ମଧ୍ୟ ଜିଦରୁ ପଛକୁ ହଟିବାକୁ ନାରାଜ । ସେ କେଉଁ ଦଳରୁ ଛିଡ଼ା ହେବେ ବା ରାଜନୀତି କରିବେ କି ନାହିଁ ସେନେଇ କିଛି ଭାବିନଥିବା କହିବା ସହ କଂଗ୍ରେସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରସ୍ତୁତ ହେଉଛନ୍ତି । ଫଳରେ ଜଟଣୀ କଂଗ୍ରେସର ଭବିଷ୍ୟତ ଦ୍ବନ୍ଦ୍ବ ଭିତରକୁ ଟାଣି ହୋଇଯାଇଛି ।

'ମନ୍ମଥ ଅଲବତ କଂଗ୍ରେସରୁ ଲଢ଼ିବେ': ସୁରଙ୍କ କହିବା କଥା ହେଲା, "ଜଟଣୀରୁ କଂଗ୍ରେସ ଟିକେଟ୍‌ରେ ମନ୍ମଥ ରାଉତରାୟ ନିର୍ବାଚନ ଲଢ଼ିବେ । ସସ୍‌ପେନ୍‌ସନ୍‌ ଲାଗିଛି । କିନ୍ତୁ ସେମିତି ଗୋଟେ ବିରାଟ ବଡ଼ ଭୁଲ ହୋଇନାହିଁ । ନିର୍ବାଚନ ପୂର୍ବରୁ ସସ୍‌ପେନ୍‌ସନ୍‌ ଉଠିଯିବ । ମନ୍ମଥ କଂଗ୍ରେସ ଟିକେଟରେ ଜଟଣୀରୁ ଲଢିବେ । ଭଗବାନଙ୍କ କୃପାରୁ ଜଟଣୀବାସୀଙ୍କ ସାହାଯ୍ୟରେ ମନ୍ମଥ ରାଉତରାୟ ହିଁ ଶତପ୍ରତିଶତ ନିର୍ବାଚନ ଜିତିବେ ।" ତେବେ ମନ୍ମଥ ଅଲ୍‌ବତ କଂଗ୍ରେସରୁ ଲଢିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସୁର ରାଉତରାୟ ।

ଗଣମାଧ୍ୟମ ଉପରେ ବର୍ଷିଲେ ସୁର: ସୁର ଆହୁରି କହିଛନ୍ତି, "କେବଳ ଗଣମାଧ୍ୟମରେ ବାପ ପୁଅଙ୍କ ମଧ୍ୟରେ ଦ୍ବନ୍ଦ୍ବ ଥିବା କଥା ଦର୍ଶାଯାଉଛି । ଗଣମାଧ୍ୟମ ଏଥିରୁ କ୍ଷ୍ୟାନ୍ତ ରୁହନ୍ତୁ । ବାପ ପୁଅ ଯେତେବେଳେ ଏକ ହୋଇଯିବୁ ସେତେବେଳେ ଆମକୁ ରୋକିବା କଷ୍ଟକର ହୋଇପଡିବ । ମଇଁଷି ସିଙ୍ଘ ଠାରୁ ଏହା କମ ଶକ୍ତିଶାଳୀ ହେବ ନାହିଁ । ପରିବାର ଭିତରେ ନିର୍ବାଚନ ଲଢିବାକୁ କେନ୍ଦ୍ର କରି କୌଣସି ବିବାଦ ନାହିଁ । ଏହା କେବଳ ଗଣମାଧ୍ୟମର ପ୍ରଚାର ସର୍ବସ୍ବ ।"

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ବିରୋଧରେ ଆଇନର ଦ୍ବାରସ୍ଥ ହେବେ ମନ୍ମଥ

'କଂଗ୍ରେସ ବିରୋଧରେ ଲିଗାଲ ଆକ୍ସନ ନେବି': ବାପାଙ୍କ ଉତ୍ତରରେ ମନ୍ମଥଙ୍କ ପ୍ରତିକ୍ରିୟା ଶୁଣିଲେ ସୁରଙ୍କ ପରିବାରରେ ସବୁକିଛି ଠିକ୍‌ ଚାଲିନଥିବା ସ୍ପଷ୍ଟ ଅନୁମେୟ । ଗୋଟିଏ ପଟେ ସୁର ତାଙ୍କ ପୁଅ କଂଗ୍ରେସରୁ ହିଁ ଲଢ଼ିବ ବୋଲି କହୁଥିବାବେଳେ କଂଗ୍ରେସ ବିରୋଧରେ ଆଇନର ଦ୍ବାରସ୍ଥ ହେବାପାଇଁ ସଜବାଜ ହେଉଛନ୍ତି ମନ୍ମଥ । ସେ କହିଛନ୍ତି, "ମୁଁ କେଉଁ ଦଳରୁ ପ୍ରାର୍ଥୀ ହେବି ବା ନିର୍ବାଚନ ଲଢ଼ିବି କି ନାହିଁ, ସେନେଇ କିଛି ଚିନ୍ତା କରିନି । ହେଲେ କଂଗ୍ରେସ ବିରୋଧରେ ଲିଗାଲ ଆକ୍ସନ ନେବାପାଇଁ ଚିନ୍ତା କରୁଛି । ମୋର ବିନା ଅନୁମତିରେ ମୋତେ କିପରି ଦଳରେ ସାମିଲ କଲେ ଓ ନିଲମ୍ବନ କଲେ ? ଏଥିପାଇଁ କଣ କାର୍ଯ୍ୟାନୁଷ୍ଠାନ ହୋଇପାରିବ, ସେନେଇ ମୋର ଲିଗାଲ ଟିମ୍‌ ସହ ଆଲୋଚନା କରୁଛି ।"

ଜଟଣୀରେ ରହିଥିଲା ସୁରଙ୍କ ଦବଦବା: ଜଟଣୀ ବିଧାନସଭା ଆସନରୁ ୧୯୭୭ ମସିହାରେ ସୁରେଶ କୁମାର ରାଉତରାୟ ଜନତା ପାର୍ଟିରୁ ଲଢି ବିଜୟୀ ହୋଇଥିଲେ । ପରେ ୧୯୮୦, ୧୯୮୫, ୧୯୯୫, ୨୦୦୦ ଏବଂ ୨୦୧୯ରେ କଂଗ୍ରେସ ଟିକେଟରୁ ଲଢି ବିଜୟୀ ହୋଇସାରିଛନ୍ତି ସୁର ରାଉତରାୟ । ୨୦୧୯ ବିଧାନସଭା ନିର୍ବାଚନରେ ସୁର ରାଉତରାୟଙ୍କୁ ମିଳିଥିଲା ୬୮,୮୪୧ ଖଣ୍ଡ ଭୋଟ । ଯାହାକି ୪୨.୯୪ ପ୍ରତିଶତ ରହିଥିଲା । ସୁରଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ପ୍ରାର୍ଥୀ ବିଭୁତି ଭୂଷଣ ବଳବନ୍ତରାୟଙ୍କୁ ମିଳିଥିଲା ୬୧,୩୧୯ ଖଣ୍ଡ ଭୋଟ । ଯାହାକି ୩୮.୨୪ ପ୍ରତିଶତ । ଏଥିରୁ ଜଣାଯାଏ, ପୂର୍ବ ନିର୍ବାଚନ ତୁଳନାରେ ସୁରଙ୍କ ଭୋଟ ହାର ବଢିଥିବା ବେଳେ ବିଭୁତିଙ୍କ ଭୋଟ ହାର କମିଥିଲା । ହେଲେ ଏଥର କିଏ ହେବ ଜଟଣୀ ପ୍ରାର୍ଥୀ ତାହା କଂଗ୍ରେସ ପାଇଁ ବଡ଼ ପ୍ରଶ୍ନ ହୋଇଛି । ଏତିକିବେଳେ ସୁର ରାଉତରାୟ ପୁଅ ମନ୍ମଥଙ୍କ ସପକ୍ଷରେ ବାହାରି କହିଛନ୍ତି ସେ ହିଁ ଅଲବତ ପ୍ରାର୍ଥୀ ହେବେ । ହେଲେ ଏହି ବାପ-ପୁଅଙ୍କ ବିବାଦ କଂଗ୍ରେସକୁ କେତେ କ୍ଷତି ପହଞ୍ଚାଉଛି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details