ଭୁବନେଶ୍ବର:ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ବୁଲା କୁକୁର । ଟିଉସିନ ଯିବାବେଳେ ଛାତ୍ରୀଙ୍କୁ କାମୁଡି କଲେ ରକ୍ତାକ୍ତ । ବଡ଼ଗଡ଼ ଥାନା ପତିତପାବନ ନଗରରେ ଘଟିଛି ଘଟଣା । ଗତକାଲି (ଶୁକ୍ରବାର) ଛାତ୍ରୀଙ୍କ ମୁହକୁ କାମୁଡି ଛିଣ୍ଡାଇଦେଇଛି ବୁଲା କୁକୁର । ଏହାପରେ ଛାତ୍ରୀଙ୍କୁ ରକ୍ତାକ୍ତ ଅବସ୍ଥଆରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ମୁହଁରେ ଦୁଇଟି ଷ୍ଟିଚ ପଡ଼ିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନରେ ୧୨ବର୍ଷର ଜଣେ ଛାତ୍ରୀ ଟିଉସନ ଯାଉଥିଲେ। ପତିତପାବନ ନଗରଠାରେ ଛାତ୍ରୀ ଜଣଙ୍କୁ ଏକ ବୁଲା କୁକୁର ଘେରି ଯାଇଥିଲା । ଏହାପରେ ଛାତ୍ରୀ ଜଣକ ନିଜକୁ ବଞ୍ଚାଇବାକୁ ଚିତ୍କାର କରିଥିଲା । ଏହି ସମୟରେ ବୁଲା କୁକୁରଟି ହଠାତ ପିଲାଟିର ମୁହଁକୁ କାମୁଡି ଦେଇଥିଲା । ପାଟି ଶୁଣି କିଛି ଲୋକ ବାହାରକୁ ଆସିଥିଲେ ସୁଦ୍ଧା କୁକୁରଟି କାମୁଡିବାର ଦେଖି ତା ପାଖକୁ କେହି ଭୟରେ ଯାଇନଥିଲେ। ଏହାପରେ କିଛି ଯୁବକ ବାଡି ଧରି କୁକୁରକୁ ପରେ ଛାତ୍ରୀ ଜଣଙ୍କୁ ଉଦ୍ଧାର କରିଥିଲେ ।
ଏହାପରେ ପିଲାଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୁକୁରଟି ପାଟିକୁ କାମୁଡିଥିବାରୁ ମୁହଁରେ ଦୁଇଟି ଷ୍ଟିଚ ପଡ଼ିଥିଲା । ତେବେ ଏଭଳି ବୁଲା କୁକୁରଙ୍କ ଆତଙ୍କ ଦେଖି ସେହି ଅଞ୍ଚଳରେ ଭୟର ମାହୋଲ ଖେଳିଯାଇଛି । କୁନି କୁନି ପିଲାଙ୍କୁ ବାହାରକୁ ଏକାକୀ ଛାଡିବା ଲାଗି ଅଭିଭାବକମାନେ ଭୟଭୀତ ହୋଇପଡ଼ିଛନ୍ତି । ଅନେକ ଲୋକ ବୁଲା କୁକୁରଙ୍କ ଉତ୍ପାତ ପାଇଁ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିବା ସହ ଛୋଟ ପିଲା ଓ ମହିଳା ଘରୁ ବାହାରିବାକୁ ଭୟ କରୁଛନ୍ତି । ତେବେ ବିଏସସି ଏ ଦିଗରେ ଧ୍ୟାନ ଦେବାକୁ ସେଠାକାର ଲୋକେ ନିବେଦନ କରିଛନ୍ତି ।