ଭୁବନେଶ୍ବର:ଦୁର୍ଗାପୂଜାର ମାହୋଲରେ ଭିଡର ଫାଏଦା ଉଠାଇ ଚୋରି କରିବା ପଡିଲା ମହଙ୍ଗା । ରାଜଧାନୀରେ ସପିଂ ମଲରୁ ଚୋରି କରି ଧରାପଡିଛି ଚୋର । ନୟାପଲ୍ଲୀ ଅଞ୍ଚଳରୁ ଚୋରକୁ ଗିରଫ କରିଛି ପୋଲିସ । ଏହି ଯୁବକ ଜଣଙ୍କ ହେଉଛି ଢେଙ୍କାନାଳର ସଂଗ୍ରାମ ମଲ୍ଲିକ । ତା' ନିକଟରୁ ଚୋରି ହୋଇଥିବା କିଛି ପ୍ୟାଣ୍ଟ ସାର୍ଟ ଜବତ କରାଯାଇଛି । ତେବେ ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ, ଗହଳିର ସୁଯୋଗ ନେଇ ଏମାନେ ନାମୀ ଦାମୀ କମ୍ପାନିର ପ୍ୟାଣ୍ଟ ସାର୍ଟ ଚୋରି କରିନେଉଥିଲେ । ଅଧା ଦାମରେ ଏହି କପଡାକୁ ବିକ୍ରି କରି ନିଜର କଳାଧନ୍ଦା ଚଳାଉଛନ୍ତି ଏହି ଚୋର ଗ୍ୟାଙ୍ଗ । ଫଳରେ ପ୍ୟାଣ୍ଟ ସାର୍ଟ ପିଛା ପ୍ରାୟ 1ହଜାରରୁ 2 ହଜାର ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ।
ଏହିପରି ଅନେକ ସପିଂ ମଲରେ ମଧ୍ୟ ଚୋରି କରିଥିବାର ସନ୍ଦେହ କରାଯାଉଛି । ସଂଗ୍ରାମକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବାବେଳେ ଏହି ଘଟଣା ମଲ୍ କର୍ତ୍ତୃପକ୍ଷଙ୍କ ପାଇଁ ଏକ ସତର୍କ ଘଣ୍ଟି ହୋଇଛି । କାରଣ ସପିଂ ମଲରେ ଚୋରି ଘଟଣା ନୂଆ ନୁହେଁ । ପୂଜା ଭିଡ଼ରେ କିଛି ଗ୍ୟାଙ୍ଗ ଏପରି ସକ୍ରିୟ ହୋଇଥାନ୍ତି । ଭିଡ଼ ଦେଖି ବିଭିନ୍ନ ସଂପି ମଲରେ ଚୋରି କରିଥାନ୍ତି । ଏନେଇ ଗତ ରଜ ସମୟରେ ମଧ୍ୟ ନୟାପଲ୍ଲୀ ଥାନା ଅଞ୍ଚଳରୁ ଏକ ସପିଂ ମଲରେ ମାଳ ମାଳ ହୋଇ ପଶି ଲୁଗା ଭିତରେ ଗ୍ରୋସରୀ ଆଇଟମ ଲୁଚାଇ ନେଉଥିବା ଏକ ମହିଳା ଗ୍ୟାଙ୍ଗକୁ ଗିରଫ କରିଥିଲା କମିଶନରେଟ ପୋଲିସ । ସେମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଥିଲା । ସେହିପରି ସପ୍ତାହେ ତଳେ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ମଧ୍ୟ ସପିଂ ମଲରୁ ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କମିଶନରେଟ ପୋଲିସ ।
ଏହା ବି ପଢନ୍ତୁ...ଉଲଗ୍ନ ହୋଇ ଚୋରି କରୁଛି ଚୋର ! ସିସିଟିଭିରେ କଏଦ ପୁରା ଘଟଣା