ଓଡିଶା

odisha

ETV Bharat / state

ଜଙ୍ଗଲ ଆଚ୍ଛାଦନ ମ୍ୟାପିଂରେ ଡ୍ରୋନ ଟେକ୍ନୋଲୋଜି ବ୍ୟବହାର କର: ମୁଖ୍ୟ ଶାସନ ସଚିବ

CAMPA Steering Committee Meet: କାମ୍ପାର ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ । ଜଙ୍ଗଲ ଆଚ୍ଛାଦନ ମ୍ୟାପିଂରେ ଡ୍ରୋନ ଟେକ୍ନୋଲୋଜିର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 12, 2024, 9:40 AM IST

CAMPA Steering Committee Meet
କାମ୍ପାର ପରିଚାଳନା କମିଟି ବୈଠକ

କାମ୍ପାର ପରିଚାଳନା କମିଟି ବୈଠକ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ ବା କାମ୍ପାର ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବନୀକରଣ ପୂର୍ବରୁ, ସମୟରେ ଓ ପରେ ଜଙ୍ଗଲ ଆଚ୍ଛାଦନ ମ୍ୟାପିଂ ଅଧ୍ୟୟନ ପାଇଁ ଡ୍ରୋନ ଟେକ୍ନୋଲୋଜି ବ୍ୟବହାର କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଗୋଟିଏ ବର୍ଷ ପରେ ଏବଂ ପରବର୍ତ୍ତୀ ବର୍ଷଗୁଡିକରେ ଏହି ବ୍ୟବସ୍ଥା କରାଗଲେ କେତେ ପରିମାଣରେ ଜଙ୍ଗଲ ସୃଷ୍ଟି ହୋଇଛି, ତାହାର ସଠିକ ଆକଳନ କରାଯାଇପାରିବ ବୋଲି ସେ କହିଛନ୍ତି ।

ପ୍ରଧାନ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ବାଳ ବୈଠକରେ ୨୦୨୩-୨୪ ବର୍ଷ ପାଇଁ ବାର୍ଷିକ ପରିଚାଳନା ଯୋଜନା ଖର୍ଚ୍ଚ, ରାଜ୍ୟ କର୍ତ୍ତୃପକ୍ଷ କ୍ୟାମ୍ପାର ପାଣ୍ଠି ସ୍ଥିତି, ଏପିଓ-୨୦୨୪-୨୫ ପ୍ରଣୟନ, ଏପିଓର କାର୍ଯ୍ୟ ସଫଳତା ସମ୍ପର୍କରେ ଆଲୋକପାତ କରିଛନ୍ତି । ଏପିଓ ୨୦୨୪-୨୫ କାର୍ଯ୍ୟକାରିତା ପାଇଁ ପ୍ରସ୍ତାବ ଉପସ୍ଥାପିତ ହୋଇଛି । ବାର୍ଷିକ ପରିଚାଳନା ୨୦୨୧-୨୨, ୨୦୨୨-୨୩, ୨୦୨୩-୨୪ରେ ମୋଟ ବ୍ୟୟ ଅଟକଳ ୩୨୩୦.୩୨ କୋଟି ରହିଛି । ସେଥିରୁ ୩୦୪୧.୧୭ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ଜାତୀୟ କର୍ତ୍ତୃପକ୍ଷ ଦ୍ବାରା ଅନୁମୋଦନ ହୋଇଛି ।

ଗତ ନଭେମ୍ବର ସୁଦ୍ଧା ୨୩୯୭.୯୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବାର୍ଷିକ ପରିଚାଳନା ଯୋଜନା ୨୦୨୩-୨୪ରେ ଗତ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ୬୪୪.୫୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବୈଠକରେ ବାର୍ଷିକ ପରିଚାଳନା ଯୋଜନା ୨୦୨୪-୨୫ ଅନୁମୋଦନ ପାଇଁ ପ୍ରସ୍ତାବ ଉପସ୍ଥାପିତ ହୋଇଛି । ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ବୃକ୍ଷରୋପଣ, ରକ୍ଷଣାବେକ୍ଷଣ, କ୍ଷତିପୂରଣ ବନୀକରଣ, ଆଞ୍ଚଳିକ ବନ୍ୟପ୍ରାଣୀ ପରିଚାଳନା ଯୋଜନାକୁ କାର୍ଯ୍ୟକାରୀ, ସ୍ଥାନ ନିର୍ଦ୍ଦିଷ୍ଟ ଭିତ୍ତିରେ ବନ୍ୟ ପ୍ରାଣୀ ପ୍ରକଳ୍ପ, ନଷ୍ଟ ହୋଇଥିବା ବାଉଁଶ ଜଙ୍ଗଲର ପୁନରୁଦ୍ଧାର, ଜଙ୍ଗଲ ସୁରକ୍ଷା, ଜଙ୍ଗଲରେ ନିଆଁ ଲାଗିବା ଜନିତ ସୁରକ୍ଷା, ଆମ ଜଙ୍ଗଲ ଯୋଜନା, ଭିତ୍ତିଭୂମି, ଗବେଷଣା ଓ ଦକ୍ଷତା ବୃଦ୍ଧି ଇତ୍ୟାଦି କାର୍ଯ୍ୟ ପାଇଁ ୧୦୪୪.୪୭ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ରାସାୟନିକ ବିପର୍ଯ୍ୟୟ ପ୍ରଶମନ ମୁକାବିଲା; ୧୦ ଜିଲ୍ଲାର ୨୮ ଶିଳ୍ପାନୁଷ୍ଠାନରେ ମକ୍ ଡ୍ରିଲ୍

ରାଜ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ଉପଲବ୍ଧ ପାଣ୍ଠି ଏବଂ ଯୋଜନାଗୁଡିକ କାର୍ଯ୍ୟକାରୀ କରୁଥିବା ବିଭାଗମାନଙ୍କରୁ ମିଳିଥିବା ପ୍ରସ୍ତାବକୁ ଆଧାର କରି ଏହା ପ୍ରସ୍ତୁତ କରାଯାଇଛି । ଏପିଓ ୨୦୨୪-୨୫ରେ କ୍ଷତିପୂରଣ ବନୀକରଣ ପାଇଁ ପ୍ରସ୍ତାବିତ ଅଞ୍ଚଳ ହେଉଛି ୭୧୭୪.୨୦୩ ହେକ୍ଟର । ନୂଆ ଜଙ୍ଗଲ ସୃଷ୍ଟି ଅଧୀନରେ ନୂତନ ୧୭୧୯୭ ହେକ୍ଟରରେ ବୃକ୍ଷରୋପଣ ହେବ । ସହାୟକ ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର ଅଧୀନରେ ୧୬୭୫.୫ ହେକ୍ଟର ଜମିରେ ବନୀକରଣ ହେବ । କାମ୍ପା ଅଧିନରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ବୃକ୍ଷରୋପଣ ପରିଚାଳନାରେ ୧୦ ବର୍ଷ ମଧ୍ୟରେ ଭୂତଳ ଜଳ ଭରଣରେ କେତେ ସହାୟକ ଏବଂ ମୃତ୍ତିକା କ୍ଷୟକୁ ରୋକା ଯାଇପାରିଛି । ସେ ସଂପର୍କରେ ତଥ୍ୟ ରଖିବାର ଆବଶ୍ୟକତା ରହିଛି । ବନୀକରଣ ସମ୍ପୃକ୍ତ ଅଞ୍ଚଳର ଜୀବିକା ନିର୍ବାହ ପାଇଁ ସହାୟତା କରିବାର ଆବଶ୍ୟକତା ରହିଛି । ଏହାକୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ବନରକ୍ଷୀଙ୍କ ସହ ସମନ୍ବୟ ରକ୍ଷା କରି ଜଙ୍ଗଲ ନିଆଁରୁ ସୁରକ୍ଷା ପାଇଁ ସ୍ଥାନୀୟ ସମ୍ପ୍ରଦାୟ, ବନ ସୁରକ୍ଷା ସମିତିକୁ ସାମିଲ କରାଯିବାକୁ ସେ ପରାମର୍ଶ ଦେଇଛନ୍ତି । ଜୈବମଣ୍ଡଳ ସଂରକ୍ଷଣ ଏବଂ ଜଙ୍ଗଲ ଅଞ୍ଚଳକୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଯାନଚାଳକଙ୍କ ପାଇଁ ସ୍ବଳ୍ପ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ଯାହାଦ୍ବାରା ଯାତ୍ରାରେ ଚାଳକ ସହିତ ଯାତ୍ରୀମାନଙ୍କର ଦାୟିତ୍ବ ସଂପର୍କରେ ସବିଶେଷ ସୂଚନା, ଜୈବ ମଣ୍ତଳ ଆଦି ସଂପର୍କରେ ସବିଶେଷ ଜ୍ଞାନ ଆହରଣ ସହିତ ପରିବେଶ ସଂରକ୍ଷଣ ଦିଗରେ ଏହା ଅଧିକ ସାହାଯ୍ୟ କରିବ ।

ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପ୍ରଧାନ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ବାଳ, ପିସିସିଏଫ ବନ୍ୟପ୍ରାଣୀ ସୁଶାନ୍ତ ନନ୍ଦ ଓ କମିଟିର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details